ମେକ୍‌ ଇନ୍‌ ଓଡ଼ିଶା କନ୍‌କ୍ଲେଭ୍‌ର ପ୍ରଥମ ଦିନରେ ରାଜ୍ୟକୁ ହୋଇଛି ନିବେଶ ବର୍ଷା

ମେକ୍‌ ଇନ୍‌ ଓଡ଼ିଶା କନ୍‌କ୍ଲେଭ୍‌ର ପ୍ରଥମ ଦିନରେ ରାଜ୍ୟକୁ ହୋଇଛି ନିବେଶ ବର୍ଷା । ବିଭିନ୍ନ ଶିଳ୍ପସଂସ୍ଥାଗୁଡ଼ିକରୁ ୭ ଲକ୍ଷ କୋଟିର ନିବେଶ ପ୍ରତିଶ୍ରୁତି ପାଇଛନ୍ତି ରାଜ୍ୟ ସରକାର । ଆଦାନି ଗ୍ରୁପ୍‌ ଆସନ୍ତା ୧୦ ବର୍ଷରେ ରାଜ୍ୟରେ ୬୦,୦୦୦ କୋଟି ଟଙ୍କା ନିବେଶ କରିବ । ଜେଏସ୍‌ଡବ୍ଲ୍ୟୁ ୧ ଲକ୍ଷ କୋଟି, ବେଦାନ୍ତ ୨୫ ହଜାର କୋଟି ଏବଂ ଟାଟା ପାୱାର ୬ ହଜାର କୋଟି ନିବେଶ କରିବ। ଓଡ଼ିଶାର ଶିଳ୍ପ ଅନୁକୂଳ ନୀତି, ମଜଭୁତ ଭିତ୍ତିଭୂମି ଏବଂ ସ୍ଥିର ସରକାର ଶିଳ୍ପପତିମାନଙ୍କୁ ଆକର୍ଷିତ କରିଛି । ଆଜି ୨୧ଟି ବୁଝାମଣାପତ୍ର ସ୍ୱାକ୍ଷର ହୋଇଥିବାବେଳେ ୪୬ଟି ନିବେଶ ଆଗ୍ରହ ସଂଗ୍ରହ କରିଛନ୍ତି ରାଜ୍ୟ ସରକାର । ଏହା ମାଧ୍ୟମରେ ରାଜ୍ୟକୁ ମୋଟ ୫.୮୫ ଲକ୍ଷ କୋଟିର ନିବେଶ ଆସିବ । ୨ ଲକ୍ଷ ୪୭ ହଜାର ୮୯୨ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ ।

ଗତ ୬ ମାସ ହେବ ରାଜ୍ୟ ସରକାର ବିଭିନ୍ନ ସ୍ଥାନରେ ନିବେଶ ଆକୃଷ୍ଟ କରିବା ଲାଗି ଆୟୋଜନ କରିଥିବା ରୋଡ୍‌ ସୋ’ରୁ ପ୍ରାୟ ୭୮ଟି ନିବେଶ ପ୍ରସ୍ତାବ ଆସିଥିବା ଆଜି ସ୍ପଷ୍ଟ ହୋଇଛି । ଏଥିରୁ ୧.୪୦ ଲକ୍ଷ କୋଟିର ନିବେଶ ଆସିବ । ମୋଟାମୋଟି ଭାବେ ୨ଟି ପର୍ଯ୍ୟାୟରେ ସରକାର ମୋଟ ୧୪୫ ନିବେଶ ଆଗ୍ରହ ପାଇଛନ୍ତି । ଏହା ମାଧ୍ୟମରେ ୭ ଲକ୍ଷ କୋଟିର ନିବେଶ ରାଜ୍ୟକୁ ଆସିବ ବୋଲି ଶିଳ୍ପ ସଚିବ ହେମନ୍ତ ଶର୍ମା ସୂଚନା ଦେଇଛନ୍ତି । ଏହା ମାଧ୍ୟମରେ ରାଜ୍ୟରେ ମୋଟ ୩ ଲକ୍ଷ ୨୦ ହଜାର ୭୪୧ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ ବୋଲି ଶର୍ମା କହିଛନ୍ତି