ମଦ ବ୍ୟବସାୟୀଙ୍କୁ ଆୟକର ଛାଟ: ୨୦୦କୋଟି ଜବତ
ଭୁବନେଶ୍ବର : ଆୟକର ଫାଙ୍କି ଅଭିଯୋଗରେ ବୁଧବାର ସକାଳୁ ଆୟକର ବିଭାଗ ୧୫ରୁ ଊର୍ଧ୍ବ ଟିମ୍ ଖୋର୍ଦ୍ଧା ସମେତ ସମ୍ବଲପୁର, ବୌଦ୍ଧ, ବଲାଙ୍ଗୀରର ଟିଟିଲାଗଡ଼ ଓ ରାୟଗଡ଼ାରେ ଥିବା ସଂସ୍ଥାର ବିଭିନ୍ନ ଶାଖାରେ ବିଭାଗ ଚଢ଼ଉ ଆରମ୍ଭ କରିଥିଲେ। ଆୟକର ଫାଙ୍କି ଅଭିଯୋଗରେ ରାଜ୍ୟର ମଦ ବ୍ୟବସାୟୀ ରାଜକିଶୋର ସାହୁ ଓ ଦେବରାଜ ସାହୁଙ୍କ ମଦ ପ୍ରସ୍ତୁତ ବିଭିନ୍ନ ଶାଖାରେ ଚଢ଼ଉ ବେଳେ ବିଭିନ୍ନ ସ୍ଥାନରୁ ଅଧିକାରୀମାନେ ୨୦୦କୋଟିରୁ ଊର୍ଧ୍ବ ଟଙ୍କା ଗଣିସାରିଥିବା ବେଳେ ଆହୁରି ବିଡ଼ା ବିଡ଼ା ନୋଟ୍ ଗଣତି ବାକି ରହିଛି । ସୁନ୍ଦରଗଡ଼ର ମଦ ବ୍ୟବସାୟୀ ରାଜକିଶୋର ଜୟସ୍ବାଲଙ୍କ ରାଣୀବଗିଚା ସ୍ଥିତ ଠିପି ବନ୍ଦ ଦୋକାନ ଓ ଅନ୍ ବାର୍ ଉପରେ ବି ରେଡ୍ ଚାଲିଛି। ଏହାଛଡ଼ା ତାଙ୍କର ଘରୋଇ ବସ୍, ଗ୍ୟାସ୍ ଏଜେନ୍ସି, ଇଟାଭାଟି, ଛାପାଖାନା, ରାଉରକେଲାର ସିଭିଲ୍ ଟାଉନ୍ସିପ୍, ବେଦବ୍ୟାସ, ଉଦିତନଗର ଆଦି ବିଭିନ୍ନ ଅଞ୍ଚଳରେ ଥିବା ବିଦେଶୀ ମଦ ଦୋକାନ ତଥା କିଛି ମଦ ବ୍ୟବସାୟୀଙ୍କ କାର୍ଯ୍ୟାଳୟ ଓ ଘରେ ଆୟକର ଚଢ଼ଉ କରାଯାଇଛି।
ରାୟଗଡ଼ାର ମଦ ବ୍ୟବସାୟୀ ଅରବିନ୍ଦ ସାହୁଙ୍କ ଘର, ଅଫିସ ସମେତ ହୋଟେଲ୍ରେ ମଧ୍ୟ ବିଭାଗ ଚଢ଼ଉ କରିଛି। ସେହିପରି ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ୍ର ଦୁଇଟି ଶିଳ୍ପାନୁଷ୍ଠାନ, ତିତିରକଟାରେ ସ୍ପିରିଟ୍ ପ୍ରସ୍ତୁତ କରୁଥିବା କାରଖାନା ବୌଦ୍ଧ ଡିଷ୍ଟିଲାରି (ବିଡିପିଏଲ୍) ଓ ପୁରୁଣାକଟକରେ ଥିବା ରାଣୀସତୀ ପେଡି ପ୍ରୋସେସିଂ (ରାଇସମିଲ୍)ରେ ଚଢ଼ଉ କରାଯାଇଛି। ଯାଞ୍ଚ ବେଳେ ଜଣାପଡ଼ିଛି ଯେ, ମହୁଲରୁ ମଦ ପ୍ରସ୍ତୁତ କରୁଥିବା ଏହି ସଂସ୍ଥା ସମୁଦାୟ ଲାଭାଂଶକୁ କମ୍ ଦେଖାଇଛି। ଆୟକର ଫାଙ୍କିବା ପାଇଁ ସଂସ୍ଥା ମହୁଲ କିଣାରେ ବହୁ ଟଙ୍କା ଖର୍ଚ୍ଚ ହୋଇଥିବା ଦର୍ଶାଇ ଲାଭକୁ କମ୍ କରିଦିଆଯାଇଛି।