ଆଗାମୀ ୨ ଦିନ ଯାଏଁ ଉପକୂଳରେ ଗୁଳୁଗୁଳି ଏବଂ ଆଭ୍ୟନ୍ତରୀଣ ଓଡ଼ିଶାରେ ତାତି ଜାରି

ଭୁବନେଶ୍ବର: ରାଜ୍ୟରେ ଅଗ୍ନିବର୍ଷା । ଉପାନ୍ତରୁ ଉପକୂଳ ସବୁଠି ସ୍ଥିତି ସାଙ୍ଘାତିକ । ତତଲା ତାଓ୍ବାରେ ଭାଜି ହେଉଛି ପଶ୍ଚିମ ଓଡ଼ିଶା । ଆସନ୍ତା ୧୪ ତାରିଖ ଯାଏଁ ଜାରି ହୋଇଛି ସିଭିୟର ହିଟଓ୍ବେଭ୍ ଆଲର୍ଟ । ଆଗାମୀ ୨ ଦିନ ଯାଏଁ ରାଜ୍ୟରେ ତାପମାତ୍ରାରେ ବିଶେଷ ପରିବର୍ତନର ସମ୍ଭାବନା ନାହିଁ । ପ୍ରଭାବରେ ଆଗାମୀ ୨ ଦିନ ଯାଏଁ ଉପକୂଳରେ ଗୁଳୁଗୁଳି ଏବଂ ଆଭ୍ୟନ୍ତରୀଣ ଓଡ଼ିଶାରେ ତାତି ଜାରି ରହିବ ।
ରାଜ୍ୟର କିଛି ସ୍ଥାନରେ ଦିନ ତାପମାତ୍ରା ସ୍ୱାଭାବିକ ଠାରୁ ୪ ରୁ ୬ ଡ଼ିଗ୍ରୀ ଅଧିକ ରହିବା ସମ୍ଭାବନା ରହିଛି । ଆଜି ସକାଳ ୫ ଟା ୩୦ ସୁଦ୍ଧା ରାଜଧାନୀ ଭୁବନେଶ୍ୱରରେ ୩୦ ଡ଼ିଗ୍ରୀ ତାପମାତ୍ରା, ୮୮% ଆଦ୍ରତା ରେକର୍ଡ ହୋଇଛି । ଯଦିଓ ଏହି ଗରମ ଏବଂ ଗୁଳୁଗୁଳି ସହନୀୟ କିନ୍ତୁ ଛୋଟ ପିଲା , ବୟସ୍କ ବ୍ୟକ୍ତି ତଥା ରୋଗୀଙ୍କ ପାଇଁ ଏହା ଅତ୍ୟନ୍ତ ସମ୍ବେଦନଶୀଳ । ଆଜି ପ୍ରବଳ ଖରା ପାଇଁ ୮ ଜିଲ୍ଲାକୁ ଅରେଞ୍ଜ ଓ ୪ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରାଯାଇଛି । ଝାରସୁଗୁଡା, ସମ୍ବଲପୁର, ବରଗଡ, ସୋନପୁର, ବୌଦ୍ଧ, ବଲାଙ୍ଗୀର, କଳାହାଣ୍ଡି ଓ କେନ୍ଦୁଝର ଲାଗି ଅରେଞ୍ଜ ଆଲର୍ଟ ଜାରି ହୋଇଥିବାବେଳେ ସୁନ୍ଦରଗଡ, କନ୍ଧମାଳ, ନୂଆପଡା ଓ ମୟୂରଭଞ୍ଜ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରାଯାଇଛି ।