ପ୍ରଭୁ ବଳଭଦ୍ର ଚାରମାଳ ଉପରେ ପଡ଼ିଯିବାରୁ ୭ ସେବାୟତ ଆହତ

ପୁରୀ : ଆଡ଼ପ ପହଣ୍ଡି ସମୟରେ ଅଘଟଣ ଘଟିବାରୁ କିଛି ସେବାୟତ ଆହତ ହୋଇ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି । ପହଣ୍ଡି ବିଜେ ସମୟରେ ବଡ଼ଠାକୁର ପ୍ରଭୁ ବଳଭଦ୍ର ଚାରମାଳ ଉପରେ ପଡ଼ିଯାଇଥିଲେ ।  ଫଳରେ ୭ ଜଣ ସେବାୟତ ଆହତ ଥିବା ଜଣାପଡ଼ିଛି। ଆହତମାନଙ୍କୁ ପୁରୀ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଏହି ଖବର ପ୍ରଚାର ହେବା ପରେ ଏହି ଘଟଣା କୋଟି କୋଟି ଭକ୍ତଙ୍କୁ ଆଘାତ ଦେଇଛି। ଯେଉଁମାନେ ଆଡ଼ପ ପହଣ୍ଡି କରୁଥିଲେ ସେମାନେ ଠିକ୍ ଭାବେ ବଳଭଦ୍ରଙ୍କୁ ଧରିନପାରିବାରୁ ଖସିପଡ଼ିଯାଇଥିବା ଦେଖାଯାଇଥିଲା । ସେବାୟତମାନଙ୍କ ତ୍ରୁଟିରୁ ଏଭଳି ଘଟିଥିବା ଦେଖାଯାଉଥିଲା । ମଙ୍ଗଳବାର ସନ୍ଧ୍ୟା ସାଢ଼େ ୭ଟା ସମୟରେ ଶ୍ରୀଜିଉମାନଙ୍କର ଗୋଟି ପହଣ୍ଡି ଆରମ୍ଭ ହୋଇଥିଲା। ପ୍ରଥମେ ଚକ୍ରରାଜ ସୁଦର୍ଶନଙ୍କ ପହଣ୍ଡି ହୋଇଥିଲା। ଏହା ପରେ ବଡ଼ଠାକୁର ବଳଭଦ୍ରଙ୍କୁ ତାଳଧ୍ବଜରୁ ପହଣ୍ଡିରେ ତଳକୁ ଅଣାଯାଉଥିଲା। ମହାପ୍ରଭୁଙ୍କୁ ଚାଳମାଳର ଅଧବାଟରେ ଥିବା ବେଳେ ରସି ଟଣାବେଳେ ତ୍ରୁଟି କାରଣରୁ ସାମ୍ନାକୁ ଝୁଙ୍କି ପଡ଼ିଥିଲେ ବଡ଼ଠାକୁର। ପଛରେ ଥିବା ସେବାୟତମାନେ ଏହି ସମୟରେ ଠିକ୍ ଭାବେ ଧରିପାରିନଥିଲେ । ଏହି ସମୟରେ ସେବାୟତମାନେ ସତର୍କତାର ସହିତ ବଡ଼ଠାକୁରଙ୍କୁ ଧରିଥିଲେ ମଧ୍ୟ ଏହି ଅପ୍ରୀତିକର ଘଟଣାରେ ୭ ଜଣ ସେବାୟତ ଆହତ ହୋଇଥିଲେ।

ତେବେ କେଉଁ କାରଣରୁ ଏହି ଅଘଟଣ ଘଟିଲା, ସେନେଇ ପ୍ରକୃତ ତଥ୍ଯ ସାମ୍ନାକୁ ଆସି ନାହିଁ। ଏହି ଘଟଣା କୁ ନେଇ ମୁଖ୍ୟମନ୍ତ୍ରୀ ଦୁଃଖ ପ୍ରକାଶ କରିବା ସହ ଆଇନ ମନ୍ତ୍ରୀଙ୍କୁ ମେଡିକାଲ ଯାଇ ଆହତମାନଙ୍କୁ ଦେଖାକରିବାକୁ କହିଥିଲେ । ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡ଼ା ଏବଂ ଆଇନ ମନ୍ତ୍ରୀ ପୃଥୀରାଜ ହରିଚନ୍ଦନ ଡାକ୍ତରଖାନାରେ ଆହତ ସେବାୟତଙ୍କୁ ଭେଟି ଆଲୋଚନା କରିଥିଲେ ।