କଟକରେ ହକି ରାଜନୀତି

କଟକ: କଟକରେ ଆୟୋଜନ ହେବାକୁ ଯାଉଥିବା ହକି ବିଶ୍ବକପ୍‌ ଉଦ୍‌ଘାଟନୀ କାର୍ଯ୍ୟକ୍ରମରେ ଦଳମତ ନିର୍ବି‌ଶେଷରେ ସମସ୍ତଙ୍କୁ ସାମିଲ କରିବା ପାଇଁ ଉଦ୍ୟମ ହୋଇଥିଲା। ହେଲେ ବିରୋଧୀ ଦଳର ଚେହେରା ଭାବେ କେବଳ ଅମରେନ୍ଦୁ ମହାନ୍ତିଙ୍କୁ ବାଦ୍ ଦେଲେ କଂଗ୍ରେସ, ବିଜେପି ଅଥବା ଅନ୍ୟ କୌଣସି ଦଳର ପ୍ରତିନିଧିଙ୍କୁ ଆଜି ଓସିଏରେ ଆୟୋଜିତ ବୈଠକରେ ଦେଖିବାକୁ ମିଳି ନାହିଁ। ଏମିତିକି ବାରବାଟୀ-କଟକ ବିଧାୟକ ଇଂଜିନିୟର ମହମ୍ମଦ ମୋକିମ୍ ଓ ସାଂସଦ ଭର୍ତ୍ତୃହରି ମହତାବ ବି ଏହି ବୈଠକରେ ଯୋଗ ଦେଇ ନାହାନ୍ତି। ଏହି ବୈଠକକୁ ଯେଉଁଭଳି ଢଙ୍ଗରେ ଡକା ଯାଇଛି, ସେଥିପାଇଁ ବିଭିନ୍ନ ଦଳର ନେତୃବୃନ୍ଦ ଏଥିରୁ ଦୂରେଇ ରହିଥିବା କୁହାଯାଉଛି।
ଆୟୋଜନ ହେଉଛି ହକିର କାର୍ଯ୍ୟକ୍ରମ। କିନ୍ତୁ ଓଡ଼ିଶା କ୍ରିକେଟ ଆସୋସିଏସନର ସଭାପତି ତଥା ବିଜେଡିର ସଂଗଠନ ସଂପାଦକ ପ୍ରଣବ ପ୍ରକାଶ ଦାସ (ବବି) ବୈଠକରେ ଉପସ୍ଥିତ ରହି ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି ‌ବୋଲି ଉଲ୍ଲେଖ କରି ବୈଠକକୁ ବିଭିନ୍ନ ବ୍ୟକ୍ତିବିଶେଷଙ୍କୁ ଆମନ୍ତ୍ରଣ କରିଛନ୍ତି କଟକ ମହାନଗର ପୂଜା କମିଟିର ସାଧାରଣ ସଂପାଦକ ତଥା ପୂର୍ବତନ ବିଧାୟକ ପ୍ରଭାତ ତ୍ରିପାଠୀ। ସରକାର ଅଥବା ପ୍ରଶାସନ ପକ୍ଷରୁ ଏଭଳି ଏକ ବୈଠକ ହୁଏତ ଡକା ଯାଇ ପାରିଥାନ୍ତା, ବବିଙ୍କ ବୈଠକ ପାଇଁ ପ୍ରଭାତ କାହିଁକି ଚିଠି ଲେଖୁଛନ୍ତି ବୋଲି କେତେକ ବରିଷ୍ଠ ନେତା ମତ ଦେଇଛନ୍ତି।