ଆଜି ହେରା ପଞ୍ଚମୀ: ମହାଲକ୍ଷ୍ମୀ ଯିବେ ଗୁଣ୍ଡିଚା ମନ୍ଦିର

ପୁରୀ:  ନବଦିନାତ୍ମକ ଯାତ୍ରାରେ ମହାପ୍ରଭୁ ଜଗନ୍ନାଥ ଗୁଣ୍ଡିଚା ମନ୍ଦିରରେ ଅବସ୍ଥାନ କରିଛନ୍ତି । ତେଣୁ ମହାଲକ୍ଷ୍ମୀ ପ୍ରଭୁଙ୍କ ଦର୍ଶନ ଅଭିଳାଷରେ ଆଜି ଶ୍ରୀମନ୍ଦିରରୁ ଗୁଣ୍ଡିଚା ମନ୍ଦିରକୁ ବିଜେ କରିବେ । ତେବେ ଗୁଣ୍ଡିଚା ମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ ନପାଇ ମହାଲକ୍ଷ୍ମୀ ରାଗରେ ନନ୍ଦିଘୋଷ ରଥ ଭାଙ୍ଗିବା ସହ ହେରାଗୌରୀ ସାହିହୋଇ ଶ୍ରୀମନ୍ଦିରକୁ ପ୍ରତ୍ୟାବର୍ତ୍ତନ କରିବେ। ଜଗତର ନାଥ ଶ୍ରୀଜଗନ୍ନାଥଙ୍କ ମହିମା ଅପାର । ରହସ୍ୟର ଠାକୁର ସେ । ତାଙ୍କର ପ୍ରତ୍ୟେକ ଯାତ୍ରା ପଛରେ ରହିଥାଏ ସଂସାରର ମଙ୍ଗଳ କାମନା । ରଥଯାତ୍ରା ଅବସରରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ମହୋତ୍ସବରେ ଗୋଟେ ଯାତ୍ରା ହେଉଛି ହେରାପଞ୍ଚମୀ। ହେରା ବା ହେରିବା ଅର୍ଥ ଚାହିଁବା। ରଥଯାତ୍ରାର ପଞ୍ଚମ ଦିନରେ ଅର୍ଥାତ ଆଷାଢ଼ ଶୁକ୍ଳ ଷଷ୍ଠୀରେ ହୋଇଥାଏ।   ମହାପ୍ରଭୁ ଶ୍ରୀଜଗନ୍ନାଥ, ବଡ଼ ଭାଇ ବଳଭଦ୍ର ଏବଂ ଭଉଣୀ ଶ୍ରୀ ଜଗନ୍ନାଥଙ୍କୁ ନେଇ ଗୁଣ୍ଡିଚା ମନ୍ଦିରକୁ ଯାତ୍ରା ୪ଦିନ କଟିଯାଇଥାଏ, କିନ୍ତୁ ଜଗନ୍ନାଥ ଫେରନ୍ତି ନାହିଁ। ମହାଲକ୍ଷ୍ମୀଙ୍କ ଅଭିମାନ ଦିନକୁ ଦିନ ବଢିବାକୁ ଲାଗେ। ଶେଷରେ ସେ ଧର୍ଯ୍ୟ ହରେଇ ବିମଳା ଦେବୀଙ୍କ ପାଖରେ ନିଜର ମନର ବ୍ୟଥା କୁହନ୍ତି। ବିମଳା ଦେବୀଙ୍କ ପରାମର୍ଶ ଅନୁସାରେ ମା ଲକ୍ଷ୍ମୀ ଶ୍ରୀଜଗନ୍ନାଥଙ୍କୁ ଦେଖିବା ପାଇଁ ଗୁଣ୍ଡିଚା ମନ୍ଦିରକୁ ଯାଇଥାନ୍ତି। ଶ୍ରୀ ଜଗନ୍ନାଥଙ୍କୁ ବଶୀଭୂତ କରି ଫେରେଇ ଆଣିବା ପାଇଁ ମହର୍ଚୁନ ମଧ୍ୟ ଦେଇ ଥାଆନ୍ତି।ରଥଯାତ୍ରାର ପଞ୍ଚମ ଦିନ ଅର୍ଥାତ ଆଷାଢ଼ ଶୁକ୍ଳ ଷଷ୍ଠୀରେ ଶ୍ରୀମନ୍ଦିର ଭଣ୍ଡାର ଘରେ ମା ଲକ୍ଷ୍ମୀଙ୍କର ମାଜଣ ହୋଇଥାଏ। ପାଟ ଅଳଙ୍କାର ଲାଗି ହୁଏ ଏବଂ ବେଶଭୂଷା ହୁଅନ୍ତି। ତାପରେ ବଟବୃକ୍ଷ ତଳେ ଥିବା ବିମାନରେ ବିଜେ ହୁଅନ୍ତି। ବିମାନରେ ଘଣ୍ଟ ଘଣ୍ଟା ବାଜି ସିଂହଦ୍ଵାର ଦେଇ ମହାଲକ୍ଷ୍ମୀ ଗୁଣ୍ଡିଚା ମନ୍ଦିରକୁ ଯାତ୍ରା କରନ୍ତି। ମାଆ ଲକ୍ଷ୍ମୀଙ୍କ ବିମାନକୁ ଜୟବିଜୟ ଦ୍ଵାର ନିକଟକୁ ନିଆଯାଏ।ସେହିଠାରେ ସେ ବିମଳା ଦେବୀଙ୍କ ଠାରୁ ଥିବା ମହଚୂର୍ଣ୍ଣକୁ ଶ୍ରୀଜଗନ୍ନାଥଙ୍କ ରଥକୁ ଫିଙ୍ଗି ଥାଆନ୍ତି। ଏହାପରେ ତୁରନ୍ତ ଲକ୍ଷ୍ମୀଙ୍କୁ ଶ୍ରୀଜଗନ୍ନାଥଙ୍କ ଠାରୁ ଆଜ୍ଞାମାଳ ମିଳେ। କିଛିଦିନ ପରେ ସେ ଶ୍ରୀମନ୍ଦିରକୁ ଫେରିବେ ବୋଲି ପ୍ରତିଶ୍ରୁତି ମିଳେ। କିନ୍ତୁ ସନ୍ଧ୍ୟା ହୋଇଯିବାରୁ ମହାଲକ୍ଷ୍ମୀ ଶ୍ରୀଜଗନ୍ନାଥଙ୍କୁ ଦର୍ଶନ କରି ପାରନ୍ତି ନାହିଁ। ସେଥିପାଇଁ ମହାଲକ୍ଷ୍ମୀ ରୁଷ୍ଟ ହୋଇ ନନ୍ଦିଘୋଷ ରଥରେ ଖଣ୍ଡେ କାଠ ଭାଙ୍ଗି ଫେରିଆସନ୍ତି ।