ମେ ୨ ଯାଏ କାଳବୈଶାଖୀ

ଭୁବନେଶ୍ବର : ବିଭିନ୍ନ ଜିଲାରେ କାଳବୈଶାଖୀ ଜନିତ ବର୍ଷା ହେଉଥିବା ବେଳେ କିଛି ସ୍ଥାନରେ କୁଆପଥର ବୃଷ୍ଟିପାତ ହୋଇଛି। ରାଜ୍ୟର ଅଧିକାଂଶ ଅଞ୍ଚଳରେ ଏହିପରି ପାଗ ମେ ୨ ପର୍ଯ୍ୟନ୍ତ ଲାଗି ରହିବ। ଏହି ସମୟରେ କାଳବୈଶାଖୀ ଜନିତ ବଜ୍ରପାତ, ବର୍ଷା ଓ କୁଆପଥର ମାଡ଼ର ସମ୍ଭାବନା ରହିଛି। ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଗଜପତି, ଗଞ୍ଜାମର ଗୋଟିଏରୁ ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ହୋଇପାରେ। ନବରଙ୍ଗପୁର, କଳାହାଣ୍ଡି ଏବଂ କନ୍ଧମାଳର କିଛି ଅଞ୍ଚଳରେ କୁଆପଥର ବୃଷ୍ଟିର ସମ୍ଭାବନା ଥିବାବେଳେ ବିଜୁଳି ଘଡ଼ଘଡ଼ି ସହ ଘଣ୍ଟା ପ୍ରତି ୪୦ରୁ ୫୦ କିମି ବେଗରେ ପବନ ବହିବାର ଆଶଙ୍କା ରହିଛି।  ପାଣିପାଗ ବିଭାଗ ପକ୍ଷରୁ  ସତର୍କ ସୂଚନା ଜାରି କରାଯାଇଛି। କାଳବୈଶାଖୀ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବଜ୍ରପାତ, କୁଆପଥର ବୃଷ୍ଟି ଏବଂ ଝଡ଼ତୋଫାନ ହେଉଛି। ଅନ୍ୟପଟେ ମାଲକାନଗିରି, କୋରାପୁଟ, ନୂଆପଡ଼ା, ବଲାଙ୍ଗୀର, ସୁବର୍ଣ୍ଣପୁର, ସମ୍ବଲପୁର, ବୌଦ୍ଧ, ଅନୁଗୋଳ, ନୟାଗଡ଼, କଟକ, ଢେଙ୍କାନାଳ, କେନ୍ଦୁଝର ଏବଂ ମୟୂରଭଞ୍ଜ ଜିଲାର କିଛି ଅଞ୍ଚଳରେ ବଜ୍ରପାତ ସହ ଝଡ଼ତୋଫାନ ହୋଇପାରେ।