ଆହୁରି ୪ ଦିନ କାଳବୈଶାଖୀ

ଭୁବନେଶ୍ବର: ରାଜ୍ୟର ବିଭିନ୍ନ ଜିଲ୍ଲାରେ କାଳବୈଶାଖୀ ପ୍ରଭାବ ପକାଇଛି। ଏଥିପାଇଁ ସତର୍କ ରହିବାକୁ ପାଣିପାଗ ବିଭାଗ ପକ୍ଷରୁ ବାରମ୍ବାର ସତର୍କ କରାଯାଇଛି । ଭୁବନେଶ୍ବର ସହିତ ରାଜ୍ୟର ବିଭିନ୍ନ ଜିଲ୍ଲାରେ କାଳବୈଶାଖୀ ବର୍ଷା ହୋଇଛି । ବିଜୁଳି ଘଡ଼ଘଡ଼ି ସହ ପ୍ରବଳ ବର୍ଷା ପବନରେ ଭିଜିଛି ଭୁବନେଶ୍ବର । ୪୦ରୁ ୫୦ କିଲୋମିଟର ବେଗରେ ପବନ ବହିବା ଦ୍ବାରା କେତେକ ସ୍ଥାନରେ ଗଛ ମଧ୍ୟ ଭାଙ୍ଗିପଡ଼ିଛି । ଭୁବନେଶ୍ବର ସମେତ ଉପକୂଳ, ଉତ୍ତର ଏବଂ ଦକ୍ଷିଣ ଓଡ଼ିଶାରେ କାଳବୈଶାଖୀ ପ୍ରଭାବ ଦେଖିବାକୁ ମିଳିଛି ।

ଢେଙ୍କାନାଳ, କଟକ, ଖୋର୍ଦ୍ଧା ଜିଲ୍ଲାରେ ତାଣ୍ଡବ ରଚିଛି କାଳବୈଶାଖୀ ।  ଆସନ୍ତା ୩ରୁ ୪ ଦିନ ପର୍ଯ୍ୟନ୍ତ ରାଜ୍ୟରେ ଏଭଳି ପାଗ ଜାରି ରହିବ ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ତେବେ କାଳବୈଶାଖୀ ବର୍ଷାର ପ୍ରଭାବ ରହିଲେ ମଧ୍ୟ ତାତିରେ ବ୍ରେକ୍ ଲାଗିବାର ସମ୍ଭାବନା ନାହିଁ ।

ଖୋର୍ଦ୍ଧା, ପୁରୀ, କଟକ, ଜଗତସିଂହପୁର, କେନ୍ଦ୍ରାପଡା, ଯାଜପୁର, ନୟାଗଡ, ମୟୁରଭଞ୍ଜ, କେନ୍ଦୁଝର, ଢେଙ୍କାନାଳ ଆଦି ଜିଲ୍ଲାରେ ବିଜୁଳି ଘଡଘଡି ସହ ବର୍ଷା ହେଲେ ମଧ୍ୟ ମଧ୍ୟାହ୍ନ ସମୟରେ ୪୦ ଡିଗ୍ରୀ କିମ୍ବା ତା’ଠାରୁ ଅଧିକ ତାପମାତ୍ରା ରହିବ । ଏଥିପାଇଁ ଦିନ ୧୧ଟାରୁ ଅପରାହ୍ନ ୩ଟା ପର୍ଯ୍ୟନ୍ତ ପିକ୍ ଆଓ୍ବାର ଘୋଷଣା କରିଛି ପାଣିପାଗ କେନ୍ଦ୍ର । କାରଣ ତାପମାତ୍ରା ବଢିବା ସହ ବାୟୁମଣ୍ଡଳରେ ଆର୍ଦ୍ରତା ୬୫ ରୁ ୮୫ ପ୍ରତିଶତ ରହିବ ।