ଜ୍ବରରେ ଶ୍ରୀଜିଉ ଉପଶମ ପାଇଁ ଆଜି ଫୁଲୁରି ତେଲ ଲାଗି ହେବ

ପୁରୀ :  ଜ୍ୱରରେ ପଡ଼ିଛନ୍ତି ମହାପ୍ରଭୁ। ଅଣସର ପିଣ୍ଡିରେ ବିଜେ ଅସୁସ୍ଥ ମହାପ୍ରଭୁଙ୍କ ଜ୍ବର ଭଲ କରିବା ପାଇଁ ଚାଲିଛି ଗୁପ୍ତନୀତି।  ବିଶ୍ୱାବସୁ ତଥା ବିଦ୍ୟାପତିଙ୍କ ବଂଶଧରମାନେ ଶ୍ରୀଅଙ୍ଗରୁ ଲେପ ଛଡ଼ାଇବା ପୂର୍ବରୁ ମହାପ୍ରଭୁଙ୍କୁ ଔଷଧଯୁକ୍ତ ତୈଳ ମର୍ଦ୍ଦନ କରିଥାନ୍ତି। ଏହି ପରମ୍ପରା ଆଧାରରେ  ଶଯ୍ୟାଶାୟୀ ଶ୍ରୀବିଗ୍ରହମାନଙ୍କୁ  ଫୁଲୁରି ତେଲ ଲାଗି ହେବ। ପରେ ଶ୍ରୀଜିଉ ନବ‌ଯୌବନ ପ୍ରାପ୍ତି ହେବେ। ଏ ନେଇ ବଡ଼ ଓଡ଼ିଆ ମଠ ପକ୍ଷରୁ ସ୍ୱତନ୍ତ୍ର ଶୈଳୀରେ ଫୁଲୁରି ତେଲ ପ୍ରସ୍ତୁତ ହୋଇଛି।  ଶ୍ରୀମନ୍ଦିରରେ ମଧ୍ୟାହ୍ନ ଧୂପ ବଢ଼ିବାପରେ ପରମ୍ପରା ମୁତାବକ ବଡ ଓଡ଼ିଆ ମଠକୁ ଶ୍ରୀମନ୍ଦିର ପକ୍ଷରୁ ଫୁଲୁରି ତେଲ ବିଜେ ପାଇଁ ଖବର ଯିବ। ଏହାପରେ ବଡ଼ ଓଡ଼ିଆ ମଠ ମହନ୍ତ ଓ ଅନ୍ୟ ସାଧୁସନ୍ଥମାନେ ଶୋଭାଯାତ୍ରାରେ ମହୌଷଧୀଯୁକ୍ତ ଫୁଲୁରି ତେଲକୁ ଶ୍ରୀମନ୍ଦିରକୁ ବିଜେ କରିବେ।