ବିଜେବି କଲେଜରେ ପଶି ହାଣିଲେ : ୪ ଗିରଫ

ବିଜେବି କଲେଜ କ୍ୟାମ୍ପସରେ ହଣାକଟା । ଦିନକୁ ଦିନ ଅପରାଧିଙ୍କ ଆଡା ପାଲଟିଥିବା ବିଜେବି କଲେଜ ଖବର ପାଲଟୁଛି । କଲେଜ କ୍ୟାମ୍ପସରେ ହିଂସା ସୃଷ୍ଟି କରି ଆତଙ୍କରାଜ ଘଟଣାରେ ୪ ଅଭିଯୁକ୍ତଙ୍କୁ ଗିରଫ କଲା କମିଶନରେଟ ପୁଲିସ। ସମସ୍ତ ୪ ଅଭିଯୁକ୍ତ ଅଣଛାତ୍ର ବୋଲି ଜଣାପଡ଼ିଛି। ଅଭିଯୁକ୍ତମାନେ ସବୁଦିନ କ୍ୟାମ୍ପସ ଭିତରେ କ୍ରିକେଟ୍‌ ଖେଳନ୍ତି। ସେମାନଙ୍କଠାରୁ ଆକ୍ରମଣରେ ବ୍ୟବହୃତ କ୍ରିକେଟ ଷ୍ଟମ୍ପ, ଛୁରୀ, ଗୋଟିଏ ବାଇକ ଜବତ କରିଛି ପୁଲିସ୍‌।

 ହଷ୍ଟେଲର କିଛି ଛାତ୍ର କଲେଜ ପଡ଼ିଆକୁ କ୍ରିକେଟ୍‌ ଖେଳିବା ପାଇଁ ଯାଇଥିଲେ। ସେଠାରେ ସେମାନଙ୍କୁ ଅଣ ଛାତ୍ରମାନେ ଆକ୍ରମଣ କରିଥିଲେ। ୩୦ରୁ ଅଧିକ ଅଣଛାତ୍ର ଖଣ୍ଡା, ବ୍ୟାଟ୍‌ ଓ ଅନ୍ୟାନ୍ୟ ମାରଣାସ୍ତ୍ରରେ କଲେଜ ଛାତ୍ରଙ୍କୁ ଗୋଡ଼ାଇ ଗୋଡ଼ାଇ ଆକ୍ରମଣ କରିଥିବା ଅଭିଯୋଗ ହୋଇଥିଲା। ଏଥିରେ ୩ ଛାତ୍ରଙ୍କ ଗୁରୁତର ଆହତ ହୋଇଥିଲେ। ସେମାନଙ୍କୁ ମେଡ଼ିକାଲରେ ଭର୍ତ୍ତି କରାଯାଇଥିଲା। ଏନେଇ ଅଭିଯୋଗ ହେବା ପରେ ଆଜି ବଡ଼ଗଡ଼ ଥାନା ପୁଲିସ୍‌ ୪ରୁ ୫ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଥିଲା। ସେମାନଙ୍କ ଭିତରୁ ୪ ଜଣଙ୍କୁ ପୁଲିସ୍‌ ଗିରଫ କରି କୋର୍ଟ ଚାଲାଣ କରିଛି।