ଆଉ ୮ଟି ନର୍ସିଂ କଲେଜ ରାଜ୍ୟରେ ଖୋଲିବ

ଭୁବନେଶ୍ୱର: ରାଜ୍ୟରେ ଆଉ ୮ଟି ନର୍ସିଂ କଲେଜ ଖୋଲିବ । ୭ଟି ନର୍ସି କଲେଜ ଖୋଲିବା ନେଇ କେନ୍ଦ୍ର ସରକାର ସହାୟତା ପ୍ରଦାନ କରିବେ । ଅନ୍ୟପକ୍ଷରେ ଗୋଟିଏ ନର୍ସିଂ କଲେଜ ପ୍ରତିଷ୍ଠା ନେଇ ରାଜ୍ୟ ସରକାର ନିଜେ ଖର୍ଚ୍ଚ ବହନ କରିବେ । ତେବେ ଏନେଇ ବିସ୍ତୃତ ପ୍ରକଳ୍ପ ରିପୋର୍ଟ (ଡିପିଆର) ପ୍ରସ୍ତୁତି ଚାଲିଛି । ରାଜ୍ୟରେ ୧୪ଟି ନର୍ସିଂ କଲେଜ ପ୍ରତିଷ୍ଠା ନେଇ ପୂର୍ବରୁ ନିଷ୍ପତ୍ତି ହୋଇଥିବା ବେଳେ ସେଥିମଧ୍ୟରୁ ଏବେ ୧୦ଟି ମେଡିକାଲ କଲେଜ କାର୍ଯ୍ୟକ୍ଷମ ହୋଇପାରିଛି ।
ରାଜ୍ୟରେ ୭ଟି ନର୍ସିଂ କଲେଜ ସ୍ଥାପନ ନେଇ କେନ୍ଦ୍ର ସରକାର ଆର୍ଥିକ ସହାୟତା ପ୍ରଦାନ କରିବେ । ରାଜ୍ୟର ଯାଜପୁର, ବଲାଙ୍ଗିର, ପୁରୀ, କଳାହାଣ୍ଡି, ତାଳଚେର, ବାରିପଦା ଓ ବାଲେଶ୍ୱରରେ ଏହି ନର୍ସିଂ କଲେଜ ଖୋଲିବା ନେଇ ପ୍ରାଥମିକ ପର୍ଯ୍ୟାୟରେ ନିଷ୍ପତ୍ତି ହୋଇଥିଲା । କଳାହାଣ୍ଡି ବଦଳରେ ଅନ୍ୟ ଏକ ସ୍ଥାନରେ ନର୍ସିଂ ଖୋଲିବା ନେଇ ରାଜ୍ୟ ସରକାର ବିଚାର କରୁଛନ୍ତି । କାରଣ ସେଠାରେ ପୂର୍ବରୁ ଏକ ନର୍ସିଂ କଲେଜ ରହିଛି । ନର୍ସିଂ କଲେଜ ଖୋଲିବା ନେଇ ଡିଏମଇଟି ସିଙ୍ଗିଲ ନୋଡାଲ ଏଜେନ୍ସି ଦାୟିତ୍ୱ ତୁଲାଇବେ ବୋଲି ଜଣାପଡ଼ିଛି । ଏନେଇ ଡିଏମଇଟି ଓ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ମଧ୍ୟରେ ଓଏମୟୁ ସ୍ୱାକ୍ଷର କରାଯିବ ।