ସାରା ରାଜ୍ୟରେ ପ୍ରଥା ପରମ୍ପରା ଅନୁସାରେ ମହାଦେବଙ୍କ ବିବାହ ସମ୍ପନ୍ନ ହେଲା

ସମ୍ବଲପୁର: ସାରା ରାଜ୍ୟରେ  ମହା ଆଡମ୍ବରରେ ସରିଲା ମହାଦେବଙ୍କ ବାହାଘର । ପ୍ରଥା ପରମ୍ପରା ଅନୁସାରେ ଗାଁ ଗାଁରେ  ଥିବା ମନ୍ଦିରରେ ହୋଇଥିଲା ବିବାହ ଉତ୍ସବ । ଜଗଦଜନନୀ ମାତା ପାର୍ବତୀଙ୍କ ହାତ ଧରିଲେ ବାବା ଭୋଳାନାଥ । ଦେବଦମ୍ପତିଙ୍କ ବିବାହ ପାଇଁ ଦୁଲୁକିଥିଲା ଗାଁଠୁ ସହର  । ଭୁବନେଶ୍ବରରେ ବାବା ଲିଙ୍ଗରାଜଙ୍କ ବିବାହ ସମ୍ପନ୍ନ ହୋଇଛି । ରାତି ୧୦ଟା ପରେ ବରଯାତ୍ରୀ କନ୍ୟା ଘର କେଦାରଗୌରୀ ମନ୍ଦିର ଅଭିମୂଖେ ଯାତ୍ରା କରିଥିଲେ । ରାତି ଗୋଟାଏ ମଧ୍ୟରେ ବିବାହ ସମ୍ପନ୍ନ ହୋଇଥିଲା । କେବଳ ପାରମ୍ପରିକ ବାଜା ରୋଷଣୀ ସହିତ ବିବାହ ପାଇଁ ଯାଇଥିଲେ ପ୍ରଭୁ ।

ସମ୍ବଲପୁରରେ ଏହି ଦୃଶ୍ୟ ଥିଲା ସବୁୁଠୁ ନିଆରା । ଗତକାଲି ମଧ୍ୟରାତିରେ ବିରାଟ ପଟୁଆରରେ ବରଯାତ୍ରୀ ନେଇ ଯାଇଥିଲେ ମହାଦେବ । ବାଜାବାଣର ରୋଷଣୀ ସହିତ ଭଳିକିଭଳି ପାରମ୍ପରିକ ନୃତ୍ୟୁରେ ଦୁଲୁକୁଥିଲା ସହର । ନନ୍ଦପଡାର ବାବା ବାଲୁଙ୍କେଶ୍ବର ଝାଡୁଆପଡାର ବାବା ଲୋକନାଥ ଓ ମୁଦିପଡାର ବାବା ଯାଗେଶ୍ବରଙ୍କ ହାତଗଣ୍ଠି ପଡିସାରିଛି । ଆଜି ଦିନ ତମାମ କନ୍ୟାପିତା ମାତା ଘରେ ଯୁଗଳ ଦର୍ଶନ ଦେବେ ନବ ଦମ୍ପତି । କାଲି ସନ୍ଧ୍ୟାରେ ମନ୍ଦିର ପ୍ରବେଶ କରିବେ ଦେବ ଦମ୍ପତି ।