ରାଉରକେଲାରେ ଡାଇରିଆ ସଂକ୍ରମଣକୁ ନିୟନ୍ତ୍ରଣ କରିବା ପାଇଁ ଚିଠି ଲେଖିଲେ କେନ୍ଦ୍ରମନ୍ତ୍ରୀ
ରାଉରକେଲା : ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ଡାଇରିଆ ସଂକ୍ରମଣ ନେଇ ଗଭୀର ଚିନ୍ତାପ୍ରକଟ କରିବା ସହ ସଂକ୍ରମଣକୁ ନିୟନ୍ତ୍ରଣ କରିବା ସହ ରୋକିବା ପାଇଁ ଏହି ସବୁ ଅଞ୍ଚଳକୁ ଅବିଳମ୍ବେ କେନ୍ଦ୍ରୀୟ ସହାୟତା ଯୋଗାଇ ଦେବା ପାଇଁ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ମନସୁଖ ମାଣ୍ଡଭୀୟଙ୍କୁ ଚିଠି ଲେଖି ଅନୁରୋଧ କରିଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।
ଶ୍ରୀ ପ୍ରଧାନ ପତ୍ରରେ ଉଲ୍ଲେଖ କରିଛନ୍ତି ଯେ ରାଉରକେଲାରେ ଡାଇରିଆ ସଂକ୍ରମଣ ବୃଦ୍ଧି ପାଇବା କାରଣରୁ ଲୋକଙ୍କ ସ୍ୱାସ୍ଥ୍ୟ ପ୍ରତି ବିପଦ ଦେଖାଯାଇଛି । ବର୍ତ୍ତମାନ ସୁଦ୍ଧା ଏହି ରୋଗରେ ଅନେକ ଲୋକଙ୍କ ମୃତ୍ୟୁ ହୋଇଥିବା ବେଳେ ୬୦୦ରୁ ଅଧିକ ଲୋକମାନେ ଚିକିତ୍ସାଧୀନ ଥିବା କୁହାଯାଉଛି । ପାଣି ସଂକ୍ରମିତ ହୋଇଥିବା କାରଣରୁ ଏହି ରୋଗ ବ୍ୟାପୁଥିବା ସନ୍ଦେହ କରାଯାଉଛି । ଫଳସ୍ୱରୂପ ଅଧିକରୁ ଅଧିକ ଲୋକମାନଙ୍କ ମଧ୍ୟରେ ସ୍ୱାସ୍ଥ୍ୟ ସମସ୍ୟା ପରିଲକ୍ଷିତ ହେଉଛି । ରାଉରକେଲା ଏବଂ ଆଖପାଖ ଅଞ୍ଚଳର ଲୋକଙ୍କ କଲ୍ୟାଣକୁ ଦୃଷ୍ଟିରେ ରଖି ରାଉରକେଲାକୁ କେନ୍ଦ୍ରୀୟ ସହାୟତା ପଠାଇ ସଂକ୍ରମଣକୁ ରୋକିବା ଦିଗରେ ବିହିତ ପଦକ୍ଷେପ ନେବାକୁ ଶ୍ରୀ ପ୍ରଧାନ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ବ୍ୟକ୍ତିଗତ ହସ୍ତକ୍ଷେପ ଲୋଡିଛନ୍ତି ।