କଟକ ବାଲିଯାତ୍ରା ଜମୁଛି
କଟକ: କଟକ ବାଲିଯାତ୍ରାକୁ ଆଜି ଆସିବେ ବଲିଉଡ୍ର ଯୁବ ସେନ୍ସେସନ୍ ସଚିନ୍-ଜିଗର ଯୋଡି। ଏହାକୁ ନେଇ ପ୍ରଶାସନ ପକ୍ଷରୁ ସମସ୍ତ ପ୍ରସ୍ତୁତି କରାଯାଇଛି। ରବିବାର ବିଶିଷ୍ଟ ସଂଗୀତକାର ଅନୁ ମଲ୍ଲିକ ଓ ତାଙ୍କ ଟିମ୍ ଆସିବେ ବାଲିଯାତ୍ରାକୁ। ବାଲିଯାତ୍ରାର ଗଣକବି ବୈଷ୍ଣବ ପାଣି ମଞ୍ଚରେ ୨ ଓ ୩ ତାରିଖରେ ରାତି ସାଢେ ୮ରୁ ୧୦ଟା ଯାଏ ସଚ୍ଚିନ-ଜିଗର ଓ ଅନୁ ମଲ୍ଲିକଙ୍କ କାର୍ଯ୍ୟକ୍ରମ ରହିଛି। ୪ ତାରିଖ ଦିନ ବାଲିଯାତ୍ରାର ଉଦ୍ଯାପନୀ କାର୍ଯ୍ୟକ୍ରମରେ ରାଜ୍ୟପାଳ ରଘୁବର ଦାସ, ସଂସ୍କୃତି ମନ୍ତ୍ରୀ ଅଶ୍ବିନୀ କୁମାର ପାତ୍ର ଅତିଥି ଭାବେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ଏ ସଂପର୍କରେ ଆଜି ଜିଲ୍ଲାପାଳ ନରହରି ସେଠୀଙ୍କ ଅଧ୍ୟକ୍ଷତାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି। ଗତକାଲି ସଂଧ୍ୟାରେ ପ୍ରଖ୍ୟାତ କଣ୍ଠଶିଳ୍ପୀ ଟି. ସୌରୀଙ୍କ ଯାଦୁକାରୀ କଣ୍ଠସ୍ବର କମ୍ପିଉଠିଥିଲା ଗଣକବି ବୈଷ୍ଣବ ପାଣି ମଞ୍ଚ। ଟି. ସୌରୀଙ୍କ ‘ମିତରେ ମିତ ତୋତେ ଖୋଜୁଛି ମୋ ଗୀତ…., ସୀତା ଲୋ ଆଜି ଜଳୁଛି ଯାହାର ଚିତା ଲୋ….’ ଭଳି ମନଛୁଆଁ ଚିରସବୁଜ ସଂଗୀତରେ ମନ୍ତ୍ରମୁଗ୍ଧ ହୋଇଥିଲେ ଦର୍ଶକ। ଏଥି ସହିତ ବିନୋଦ ବିହାର କଳାପରିଷଦ(ମାହାଙ୍ଗା)ର ଗୀତିନାଟ୍ୟ କର୍ଣ୍ଣବଧ, ନୃତ୍ୟାକାର ଫାଉଣ୍ଡେସନ ଦିଲ୍ଳୀର ଶିଳ୍ପୀମାନଙ୍କ କଥକ ନୃତ୍ୟ, ମାନିନୀ ସାଂସ୍କୃତିକ କଳା ପରିଷଦର ରାସ ନୃତ୍ୟ ବେଶ୍ ମନୋମୁଗ୍ଥକର ଥିଲା। ପଞ୍ଚମ ସଂଧ୍ୟାର କାର୍ଯ୍ୟକ୍ରମ ପରିଚାଳନାରେ ଜିଲ୍ଲା ସଂସ୍କୃତି ଅଧିକାରୀ ନଳିନୀକାନ୍ତ ସାହୁ, ଜିଲ୍ଲା ସଂସ୍କୃତି ପରିଷଦ ବରିଷ୍ଠ ସଭ୍ୟା ସବିତା ତ୍ରିପାଠୀ ସହାୟତା କରିଥିବା ବେଳେ ଶୁଭମ୍, ଆର୍ଜେ ସ୍ବାତୀ, ଯାଜ୍ଞସେନୀ, ସୋମା ମହାପାତ୍ର ଦୁଇ ମଞ୍ଚରେ କାର୍ଯ୍ୟକ୍ରମ ଉପସ୍ଥାପନା କରିଥିଲେ।