ବିଚ୍‌ ରାସ୍ତାରେ ଛାତ୍ରଙ୍କୁ ଗୋଡ଼ାଇ ଗୋଡ଼ାଇ ହାଣିଲେ

ଭୁବନେଶ୍ବର: ମହର୍ଷି କଲେଜର ଜଣେ ଛାତ୍ରଙ୍କୁ ବିଚ୍‌ ରାସ୍ତାରେ ଗୋଡ଼ାଇ ଗୋଡ଼ାଇ ହାଣିଲେଦୁର୍ବୃତ୍ତ । ଆହତ ଯୁବକଜଣଙ୍କ ହେଲେ, +୨ ବିଜ୍ଞାନ ଦ୍ବିତୀୟ ବର୍ଷର ଛାତ୍ର ମଳୟ ରଂଜନ ରାଉତ। ମଳୟ ଏବଂ +୨ ବାଣିଜ୍ୟ ଦ୍ବିତୀୟ ବର୍ଷ ଛାତ୍ର ସୋମେଶ ପ୍ରଧାନଙ୍କ ମଧ୍ୟରେ ଦୁଇ ମାସ ହେଲା ଲାଗି ରହିଥିବା ବିବାଦ ଗତକାଲି ଭୟଙ୍କର ରୂପ ନେଇଥିଲା। କୌଣସି କାରଣକୁ ନେଇ ଦିନ ପାଖାପାଖି ୧୧ଟାରେ କଲେଜ୍‌ କ୍ୟାମ୍ପସରେ ଦୁଇ ଛାତ୍ରଙ୍କ ମଧ୍ୟରେ କଥା କଟାକଟି ଧସ୍ତାଧସ୍ତିର ରୂପ ନେଇଥିଲା। ଉଭୟଙ୍କ ମଧ୍ୟରେ ମାଡ଼ପିଟ୍‌ ଦେଖି ପରସ୍ପରର ସମର୍ଥକ ବି ବାଡ଼ିଆପିଟା ହୋଇଥିଲେ। ଏହାକୁ ନେଇ କଲେଜ କ୍ୟାମ୍ପସରେ ତୀବ୍ର ଉତ୍ତେଜନା ଦେଖାଦେଇଥିଲା। ପରେ ଦୁଇ ଛାତ୍ରଗୋଷ୍ଠୀ ଫେରି ଯାଇଥିଲେ। ସ୍ଥିତି ଆୟତ୍ତ ହୋଇଥିଲେ ବି ସେମାନଙ୍କ ମଧ୍ୟରେ ଛକାପଞ୍ଝା ଲାଗି ରହିଥିଲା।

ଅପରାହ୍‌ଣ ପାଖାପାଖି ସାଢ଼େ ୩ଟାରେ ମଳୟ କ୍ଲାସ ସାରି ଘରକୁ ଯିବା ପାଇଁ ଆଇଡିବିଆଇ ଛକ ନିକଟ ବସ୍‌ଷ୍ଟପରେ ବସିଥିବା ବେଳେ  ସୋମେଶ ଏବଂ ତା’ର ସମର୍ଥକ ହାତରେ ମାରଣାସ୍ତ୍ର ଧରି ସେଠାରେ ପହଞ୍ଚିଥିଲେ। ଅତର୍କିତ ଭାବେ ସେମାନେ ମଳୟଙ୍କୁ ଲୁହା ରଡ୍‌, ଖଣ୍ଡାରେ ଆକ୍ରମଣ କରିଥିଲେ। ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ମଳୟ ଜୀବନ ବିକଳରେ ଦୌଡ଼ିଥିଲେ ହେଁ ଦୁର୍ବୃତ୍ତମାନେ ତାଙ୍କୁ ଗୋଡ଼ାଇ ଗୋଡ଼ାଇ ଆକ୍ରମଣ କରିଥିଲେ। ଖବର ପାଇ ମଳୟଙ୍କ ସମର୍ଥକ ସେଠାରେ ପହଞ୍ଚିବା ବେଳକୁ ଅପରଗୋଷ୍ଠୀର ଯୁବକମାନେ ସେଠାରୁ ପଳାଇଥ‌ିଲେ। କିଛି ସମୟ ପାଇଁ ସେଠାରେ ରାସ୍ତା ଜାମ ସ୍ଥିତି ଉପୁଜିବା ସହ ଉତ୍ତେଜନା ଦେଖାଦେଇଥିଲା। ସହିଦନଗର ପୁଲିସ ସେଠାରେ ପହଞ୍ଚି ଛାତ୍ରମାନଙ୍କୁ ବୁଝାସୁଝା କରି ମଳୟଙ୍କୁ ହସ୍ପିଟାଲ୍‌ ନେଇଥିଲା। ପରେ ଛାତ୍ରମାନେ ଥାନାକୁ ଯାଇ ଅଭିଯୋଗ ପରେ ପୁଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଥିଲା।