ଚିକିଟି ପରେ ଦିଗପହଣ୍ଡିରେ ବିଷମଦ ନେଲା ଜୀବନ
ଦିଗପହଣ୍ଡି: ଚିକିଟି ପରେ ଦିଗପହଣ୍ଡି ଭୀଷ୍ମଗିରି ଗ୍ରାମ ପ୍ରେମନଗରର ଜଣେ ଯୁବକ କେ. କ୍ରିଷ୍ଣା ପାତ୍ର(୪୦) ବିଷାକ୍ତ ମଦ ପିଇ ମୃତ୍ୟୁମୁଖରେ ପଡ଼ିଥିବା ଅଭିଯୋଗ ହୋଇଛି। କ୍ରିଷ୍ଣା ଗତକାଲି ଛେଳି ଚରାଇବା ପାଇଁ ଗଞ୍ଜାମ-ଗଜପତି ସୀମାନ୍ତ ଅଞ୍ଚଳ ବିଚ୍ଛାପାଟ ଗ୍ରାମକୁ ଯାଇଥିଲେ। ସେଠାରେ ସେ ରନ୍ଧାମଦ ପିଇଥିଲେ।
କ୍ରିଷ୍ଣା ବିଚ୍ଛାପାଟ ଗାଁରୁ ଏସ୍.ଟିକରପଡ଼ା ଗ୍ରାମକୁ ଯିବା କେନାଲ ରାସ୍ତା ବୃନ୍ଦାବନନଗର ଗ୍ରାମ ନିକଟରେ ଅଚେତ ହୋଇ ପଡ଼ିଥିଲେ। ସେ ରାତିରେ ଆଉ ଘରକୁ ଫେରି ନଥିଲେ। ପରିବାର ଲୋକେ ତାଙ୍କୁ ବହୁ ଖୋଜାଖୋଜି କରିବା ପରେ ଆଜି ସକାଳେ ତାଙ୍କର ମୃତଦେହ ସେହି ରାସ୍ତା କଡ଼ରେ ପଡ଼ିଥିବା ଖବର ପାଇଥିଲେ। ପରିବାର ବର୍ଗ ଘଟଣାସ୍ଥଳରେ ପହଞ୍ଚି କ୍ରିଷ୍ଣାଙ୍କ ମୃତଦେହ ଘରକୁ ଆଣିବା ପରେ ଅନ୍ତିମ ସଂସ୍କାର ପାଇଁ ଭୀଷ୍ମଗିରି ସ୍ଥିତ ମଶାଣିକୁ ନେଇଥିଲେ। ହେଲେ କୌଣସି ସୂତ୍ରରୁ ପୁଲିସ ଖବର ପାଇ ସେଠାରେ ପହଞ୍ଚିଥିଲା। କ୍ରିଷ୍ଣାଙ୍କ ମୃତ୍ୟୁ ସମ୍ପର୍କରେ ପୁଲିସ ପରିବାରବର୍ଗଙ୍କୁ ପଚରାଉଚରା କରିଥିଲା। ରନ୍ଧାମଦ ପିଇବାରୁ କ୍ରିଷ୍ଣାଙ୍କ ଜୀବନ ଯାଇଥିବା ନେଇ ପରିବାର ସଦସ୍ୟ ଓ ଗ୍ରାମବାସୀ ଅଭିଯୋଗ ଆଣିଥିଲେ। ଏଣୁ ମୃତ୍ୟୁର କାରଣ ସ୍ପଷ୍ଟ କରିବା ପାଇଁ ପୁଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି।