ସ୍ବେଚ୍ଛାକୃତ ଅବସର ନେଲେ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଭି.କେ. ପାଣ୍ଡିଆନ

ଭୁବନେଶ୍ୱର : ଶେଷରେ ଅବସର ନେଇଛନ୍ତି ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ତଥା ୨୦୦୦ ବ୍ୟାଚର ଆଇଏଏସ ଅଫିସର  ଭିକେ ପାଣ୍ଡିଆନ  । ତାଙ୍କର ପରବର୍ତ୍ତି ନିଷ୍ପତ୍ତି କଣ ହେବ ତାହାକୁ ନେଇ ଚର୍ଚା ଆରମ୍ଭ ହୋଇଛି ।  ନିର୍ବାଚନ ଆଉ ଏକ ବର୍ଷ ଥିବା ବେଳେ  ସ୍ବେଚ୍ଛାକୃତ ଅବସର ନେଲେ ଭି.କେ. ପାଣ୍ଡିଆନ । ଏପରିକି ଚର୍ଚା ହେଉଛି ସେ ଉପମୁଖ୍ୟମନ୍ତ୍ରୀ ପଦ ଗ୍ରହଣ କରିପାରନ୍ତି । କିନ୍ତୁ ସେ ବ୍ୟାକ ଡୋରରେ ରହି ଏବେ ବିଜେଡିକୁ ପରିଚାଳନା କରିବା ସମ୍ଭାବନା ଅଧିକ । ବିରୋଧୀ ଦଳମାନେ ତାଙ୍କୁ ନେଇ ଯେଉଁଭଳି ସମାଲୋଚନା କରୁଥିଲେ ଏଥିରେ ପୂର୍ଣ୍ଣଛେଦ ପଡ଼ିବ ବୋଲି କୁହାଯାଉଛି ।  ୨୦୦୦ ବ୍ୟାଚର ଆଇଏଏସ ଅଫିସର ଥିଲେ ଭିକେ ପାଣ୍ଡିଆନ । ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଥିଲେ । ସବୁଠୁ ବଡ଼ କଥା ହେଉଛି ଅନୁମୋଦନ କଲେ କେନ୍ଦ୍ର ସରକାର । କିଛି ଦିନ ଧରି ସେ ବିଭିନ୍ନ ଜିଲ୍ଲା ଗସ୍ତ କରୁଥିବା ବେଳେ ଏହାକୁ ନେଇ ରାଜନୀତି ଜୋର ଧରିଥିଲା । ପ୍ରତ୍ୟକ୍ଷ ରାଜନୀତିକୁ ଆସିବେ କି ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶଦାତା ରହିବେ ତାହାକୁ ନେଇ ଚର୍ଚା ମଧ୍ୟ ହେଉଛି ।

ଧର୍ମଗଡ଼ ଉପଜିଲ୍ଲାପାଳ ଭାବେ ଆରମ୍ଭ କରିଥିଲେ କ୍ୟାରିଅର । ୨୦୦୨-୦୪ ପର୍ଯ୍ୟନ୍ତ ତୁଲାଇଥିଲେ ଉପଜିଲ୍ଲାପାଳ ଦାୟିତ୍ବ । ୨୦୦୫-୦୭ ଥିଲେ ମୟୂରଭଞ୍ଜ ଜିଲ୍ଲାପାଳ । ୨୦୦୭-୧୧ ଯାଏ ଗଞ୍ଜାମ ଜିଲ୍ଲାପାଳ ଥିଲେ ପାଣ୍ଡିଆନ । ୨୦୧୧ରୁ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ରହିଛନ୍ତି ପାଣ୍ଡିଆନ । ୨୦୧୯ରେ ୫T ସଚିବ ଭାବେ ଦାୟିତ୍ବ ନେଇଥିଲେ । ୨୩ ବର୍ଷ ଧରି ଭାରତୀୟ ପ୍ରଶାସନିକ ସେବାରେ ଥିଲେ କାର୍ଯ୍ୟରତ । ଗତ ୨୦ତାରିଖରେ ସେ ସ୍ୱେଚ୍ଛାକୃତ ଅବସର ପାଇଁ ଆବେଦନ କରିଥିଲେ । ଏନେଇ କେନ୍ଦ୍ର କାର୍ମିକ ମନ୍ତ୍ରଣାଳୟ ଅନୁସଚିବ ଭୂପିନ୍ଦର ପାଲ ସିଂ ଆଜି ରାଜ୍ୟ ସାଧାରଣ ପ୍ରଶାସନ ବିଭାଗର ଅତିରିକ୍ତ ମୁଖ୍ୟ ସଚିବଙ୍କୁ ଚିଠି ଲେଖି ଅବଗତ କରିଛନ୍ତି । ପାଣ୍ଡିଆନଙ୍କ ଅବସର ନେଇ ବିଜେପି କହିଛି ଏଥିରେ କିଛି ଆଶ୍ଚର୍ଯ୍ୟ ହେବାର କିଛି ନାହିଁ । ସେ ପୂର୍ବରୁ ବିଜେଡି ପାଇଁ କାମ କରୁଥିଲେ ଏବେ କରିବେ । ସେପଟେ କଂଗ୍ରେସ କହିଛି ଏହା ଆଗରୁ ଜଣାପଡୁଥିଲା । ସେ ବିଜେଡି ପାଇଁ କାମ କରୁଥିଲେ । ଏନେଇ ବାରମ୍ବାର ଅଭିଯୋଗ ହୋଇଛି । ସେ ଏବେ ଖୋଲାଖୋଲି ବିଜେଡି ପାଇଁ କାମ କରିବାକୁ ଚାହୁଁଛନ୍ତି ।