ସମନକୁ ନେଇ କ୍ଷମତା କରିଡରରେ ଆଲୋଡ଼ନ ସୃଷ୍ଟି ହୋଇଛି। ରାଜ୍ୟରେ ନୂଆ ସରକାର ଗଠନ ହେଲା ପରେ ପ୍ରଥମ ଥର ସିବିଆଇର ବଡ଼ ଧରଣର ଧରପଗଡ଼ ହେଉଥିବାରୁ ଏହାକୁ ନେଇ ସବୁ ମହଲରେ ଉତ୍ସୁକତା ପ୍ରକାଶ ପାଇଛି।
ରାଷ୍ଟ୍ରାୟତ୍ତ ଉଦ୍ୟୋଗ ବ୍ରିଜ୍ ଆଣ୍ଡ୍ ରୁଫ୍ କର୍ପୋରେସନ୍ର ଜିଜିଏମ୍ ଏକ ଠିକାସଂସ୍ଥାରୁ ୧୦ ଲକ୍ଷ ଟଙ୍କା ଲାଞ୍ଚ ନେବା ମାମଲାରେ ଏବେ ବଢ଼ିଛି ବରିଷ୍ଠ ଆଇଏଏସ୍ ଅଧିକାରୀ ବିଷ୍ଣୁପଦ ସେଠୀଙ୍କ ଅଡ଼ୁଆ। ୧୧ ତାରିଖ ଦିନ ୧୧ଟାରେ ହାଜର ହେବା ଲାଗି ସିବିଆଇ ପକ୍ଷରୁ ସମନ କରାଯାଇଥିଲା। ତାଙ୍କୁ ସିବିଆଇ ସମନ ଦେବା ପରେ ବି ଏନେଇ ମୁହଁ ଖୋଲିନାହାନ୍ତି ଶ୍ରୀ ସେଠୀ।
ଏକ ନିର୍ଦ୍ଦିଷ୍ଟ ପ୍ରକଳ୍ପକୁ ନେଇ ସିବିଆଇ ବରିଷ୍ଠ ଆଇଏଏସ୍ ଅଧିକାରୀ ବିଷ୍ଣୁପଦ ସେଠୀଙ୍କ ଡ୍ରାଇଭରଙ୍କୁ ସମନ କରିଥିଲା। ବିଷ୍ଣୁପଦ ସେଠୀ ଏବେ ଅନୁସୂଚିତ ଜନଜାତି ଓ ଜାତି ଉନ୍ନୟନ ବିଭାଗ, ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ବିଭାଗ ଏବଂ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ପ୍ରମୁଖ ସଚିବ ଭାବେ କାର୍ଯ୍ୟ କରୁଛନ୍ତି।
ଏହି ବିଭାଗଗୁଡ଼ିକର ଏକାଧିକ ଭିତ୍ତିଭୂମି ପ୍ରକଳ୍ପ ରାଜ୍ୟର ବିଭିନ୍ନ ସ୍ଥାନରେ ନିର୍ମାଣାଧୀନ ଅଛି।