ରାଜ୍ୟରେ ଆବଶ୍ୟକ ‘ଅନ୍ୟାୟ-ଦୁର୍ନୀତି-ଭ୍ରଷ୍ଟାଚାର-ବ୍ୟଭିଚାର’ ମୁକ୍ତ ଶାସନ: ମନମୋହନ ସାମଲ

ଭୁବନେଶ୍ବର :ରାଜ୍ୟରେ ଆବଶ୍ୟକ ‘ଅନ୍ୟାୟ-ଦୁର୍ନୀତି-ଭ୍ରଷ୍ଟାଚାର-ବ୍ୟଭିଚାର’ ମୁକ୍ତ ଶାସନ ପାଇଁ ବିଜେପି ହୁଁକାର ଦେଇଛି । ବିଜେଡି ମୁକ୍ତ ଓଡ଼ିଶା ଗଠନ କରିବା ପାଇଁ ବିଜେପି ସଂକଳ୍ପବଦ୍ଧ ବୋଲି କହିଛି । କେନ୍ଦ୍ରରେ ୯ ବର୍ଷର ମୋଦି ସରକାରଙ୍କ ଉପଲବ୍ଧତାକୁ ନେଇ ବିଜେପି ରାଜ୍ୟ କାର୍ଯ୍ୟକାରିଣୀରେ ଆଲୋଚନା ହୋଇଛି ।  ବେରୋଜଗାରୀ, କୁପୋଷଣ, ମହାପ୍ରଭୁଙ୍କ ନୀତି ବିଭ୍ରାଟ, ଶ୍ରୀମନ୍ଦିର ଫାଇଲ ଚୋରୀ, ଓଡ଼ିଶାରେ କେନ୍ଦ୍ର ସରକାରଙ୍କ ଜନ କଲ୍ୟାଣକାରୀ ଯୋଜନା ବାଟମାରଣା, ୫ଟି ରୂପାନ୍ତରଣ ନାମରେ ଦୁର୍ନୀତି, ସ୍ୱାସ୍ଥ୍ୟସେବା ବିପର୍ଯ୍ୟସ୍ତ, ଅଘୋଷିତ ବିଜୁଳି କାଟ, କୋଟିଆ ସମସ୍ୟା, ସୀମା ସୁରକ୍ଷାରେ ରାଜ୍ୟ ସରକାର ବିଫଳ, ଚିଟଫଣ୍ଡ ଦୁର୍ନୀତି ଆଦି ପ୍ରସଙ୍ଗ ଉପରେ କାର୍ଯ୍ୟକାରିଣୀରେ ଆଲୋଚନା ହୋଇଛି ।  ରାଜ୍ୟ ସଭାପତି ମନମୋହନ ସାମଲଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ରାଜ୍ୟ କାର୍ଯ୍ୟକାରିଣୀରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ବିଶ୍ୱେଶ୍ୱର ଟୁଡୁ, କ୍ଷେତ୍ରୀୟ ପ୍ରଭାରୀ ସୁନୀଲ ବଂସଲ, ରାଜ୍ୟ ପ୍ରଭାରୀ ଶ୍ରୀମତୀ ଡି.ପୁରନ୍ଦେଶ୍ୱରୀ, ରାଜ୍ୟ ସାଧାରଣ ସଂପାଦକ (ସଂଗଠନ) ମାନସ କୁମାର ମହାନ୍ତି ପ୍ରମୁଖ ସାଂଗଠନିକ କାର୍ଯ୍ୟକ୍ରମର ସମୀକ୍ଷା କରିବା ସହିତ ଆଗାମୀ ୪ ମାସର ରୋଡମ୍ୟାପର ବିସ୍ତୃତ ଆଲୋଚନା କରିଛନ୍ତି । ବିଭିନ୍ନ ପ୍ରତିଷ୍ଠିତ ବ୍ୟକ୍ତିମାନଙ୍କର ବିୟୋଗରେ କାର୍ଯ୍ୟକାରିଣୀରେ ଶୋକ ପ୍ରସ୍ତାବ ଆଗତ ହୋଇଥିଲା ।