ମୁଖ୍ୟମନ୍ତ୍ରୀଙ୍କ ପଶ୍ଚିମଓଡ଼ିଶା ଗସ୍ତକୁ ବିଜେପି ବିରୋଧ

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ  ପଶ୍ଚିମଓଡ଼ିଶା ଗସ୍ତକୁ ବିଜେପି ବିରୋଧ କରିଛି । ମୁଖ୍ୟମନ୍ତ୍ରୀଙ୍କର ଯେଉଁ ସବୁ ସ୍ଥାନରେ କାର୍ଯ୍ୟକ୍ରମ ରହିଛି ସେଠାରେ ବିଜେପି ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି  ।  ବିଜେପି ରାଜ୍ୟ କୃଷକ ମୋର୍ଚ୍ଚା ସଭାପତି ପ୍ରଦୀପ ପୁରୋହିତ କହିଛନ୍ତି ଯେ, ମୁଖ୍ୟମନ୍ତ୍ରୀ ବରଗଡ଼, ନୂଆପଡ଼ା ଓ କଳାହାଣ୍ଡି ଜିଲ୍ଲା ଗସ୍ତରେ ଯିବେ । ରାଜ୍ୟ ସରକାରଙ୍କ ଚାଷୀମାରଣ ନୀତିକୁ ବିରୋଧ କରି ବିଜେପି ବିକ୍ଷୋଭ ଓ ପ୍ରତିବାଦ କରୁଛି । ୨୦୧୬ ମସିହାରେ ବରଗଡ଼ର ସୋହେଲାଠାରେ ଏକ ସାଧାରଣ ସଭାରେ ମୁଖ୍ୟମନ୍ତ୍ରୀ ନିଜେ ଚାଷୀଙ୍କୁ ଧାନ କ୍ୱିଣ୍ଟାଲ ପିଛା ୧୦୦ଟଙ୍କା ଲେଖାଏଁ ବୋନସ ଦେବେ ଓ ପଶ୍ଚିମଓଡ଼ିଶା ବିକାଶ ପାଇଁ ୩୫ହଜାର କୋଟି ଟଙ୍କାର ଆବଂଟନ ଘୋଷଣା କରିଥିଲେ । ଏହି ପ୍ରତିଶ୍ରୁତି ଏ ପର୍ଯ୍ୟନ୍ତ ପୂରଣ ହୋଇପାରିଲା ନାହିଁ । କିନ୍ତୁ ବରଗଡ଼ରେ ମୁଖ୍ୟମନ୍ତ୍ରୀ ଆଉ କିଛି ନୂଆ ଘୋଷଣା କରିବେ । ତେଣୁ ଅନ୍ୟ କିଛି ଘୋଷଣା କରିବା ପୂର୍ବରୁ ମୁଖ୍ୟମନ୍ତ୍ରୀ ନିଜର ପୂର୍ବ ପ୍ରତିଶ୍ରୁତି ସମ୍ପର୍କରେ ସ୍ପଷ୍ଟୀକରଣ ରଖନ୍ତୁ ବୋଲି ବିଜେପି ପକ୍ଷରୁ କୁହାଯାଇଛି ।