ଘର ଘର ବୁଲୁଛନ୍ତି ରାଜନେତା

ଭୁବନେଶ୍ବର: ବିଜେଡି, କଂଗ୍ରେସ, ବିଜେପି ନେତାମାନେ ଏବେ ଘର ବୁଲା ଆରମ୍ଭ କରିଛନ୍ତି ।  ରାଜଧାନୀରେ  ଘରେ ଘରେ ପହଞ୍ଚି ଭୋଟରଙ୍କୁ ନିଜ ଆଡ଼କୁ ଟାଣିବାକୁ ତିନି ଦଳର ନେତା ଏବେ ଦିନରାତି ଏକ କରି ଦେଇଛନ୍ତି। ଶାସକ ବିଜେଡି ଦଳ ‘ଘରେ ଘରେ ଶଙ୍ଖ ଜନସମ୍ପର୍କ ଅଭିଯାନ’ ଆରମ୍ଭ କରିଛି । ବିଜେପି ଓ କଂଗ୍ରେସ ମଧ୍ୟ ଭୋଟରଙ୍କ ଘରେ ପହଞ୍ଚିବାକୁ ଯୋଜନା ପସ୍ତୁତ କରିଛନ୍ତି। କଂଗ୍ରେସ ପକ୍ଷରୁ ‘ଘରେ ଘରେ କଂଗ୍ରେସ ଘରେ ଘରେ ହାତ’ କାର୍ଯ୍ୟକ୍ରମ  ଆରମ୍ଭ ହୋଇଛି । ବିଜେଡି ଭୁବନେଶ୍ବର ସଂସଦୀୟ କ୍ଷେତ୍ରରେ ‘ଘରେ ଘରେ ଶଙ୍ଖ ଜନସମ୍ପର୍କ ଅଭିଯାନ’ ସଂସଦୀୟ କ୍ଷେତ୍ରର ୭ଟି ଯାକ ବିଧାନସଭା ମଣ୍ଡଳୀରେ ଏହି ଅଭିଯାନ କରିବାକୁ ନିଷ୍ପତ୍ତି ହୋଇଛି। ସପ୍ତାହର ଗୋଟିଏ ଦିନ ଗୋଟିଏ ବିଧାନସଭା ନିର୍ବାଚନ ମଣ୍ଡଳୀରେ ସ୍ଥାନୀୟ ବିଜେଡି ନେତାଙ୍କ ସହ ସଂସଦୀୟ କ୍ଷେତ୍ରର ବିଜେଡି ପର୍ଯ୍ୟବେକ୍ଷକ ଘରକୁ ଘର ବୁଲି ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନା ସମ୍ପର୍କରେ ଲୋକଙ୍କୁ ବୁଝାଉଛନ୍ତି। ରାଜଧାନୀକୁ  ଦୁର୍ଗନ୍ଧରୁ ମୁକ୍ତି ପାଇଁ ଜିଲ୍ଲା ବିଜେପି ପକ୍ଷରୁ ଚାଲିଥିବା ‘ସତ୍ୟାଗ୍ରହ’ ୨୦ ଦିନରେ ପହଞ୍ଚିଛି। ରାଜ୍ୟ ସରକାରଙ୍କ  ଅପାରଗତା  ଅଭିଯୋଗ କରି ବିଜେପି ପ୍ରଚାରପତ୍ର ନେଇ  ଲୋକଙ୍କ ପାଖକୁ ଯାଉଛି। ବିଜେପି ଜିଲ୍ଲା ସଭାପତି ବାବୁ ସିଂ, ରାଜ୍ୟ ମୁଖପାତ୍ର ଦିଲ୍ଲୀପ ମହାନ୍ତି, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଜଗନ୍ନାଥ ପ୍ରଧାନ ପ୍ରଚାର ଚଳାଇଛନ୍ତି । ଦଳର ନେତାମା‌ନେ ଏବେ ବିଏମ୍‌ସିର ବିଭିନ୍ନ ୱାର୍ଡ ଅନ୍ତର୍ଗତ ଗାଁ, ବସ୍ତି ଓ କଲୋନିକୁ ଯାଇ ଦୁର୍ଗନ୍ଧ ସମ୍ପର୍କରେ ଲୋକଙ୍କୁ ଅବଗତ କରାଉଛନ୍ତି। କଂଗ୍ରେସ ପକ୍ଷରୁ ‘ଘରେ ଘରେ କଂଗ୍ରେସ ଘରେ ଘରେ ହାତ’ କାର୍ଯ୍ୟକ୍ରମ ଚାଲିଛି ।  ଘରକୁ ଘର ବୁଲି ଲୋକଙ୍କ ପାଖରେ ପହଞ୍ଚି ବସ୍ତିବାସିନ୍ଦାଙ୍କ ସୁବିଧା ଅସୁବିଧା ବୁଝିବା ସହିତ କିଭଳି ବସ୍ତି ଲୋକଙ୍କୁ ରାଜ୍ୟ ସରକାର ପ୍ରତାରଣା ଦେଇ ଚାଲିଛନ୍ତି ସେସମ୍ପର୍କରେ ବୁଝାଇଥିଲେ। ଭୁବନେଶ୍ୱର ଜିଲ୍ଲା ସଭାପତି ବିଶ୍ୱଜିତ ଦାଶ, ରାଜ୍ୟ ମହିଳା କଂଗ୍ରେସ ଉପସଭାନେତ୍ରୀ ରଶ୍ମି ମହାପାତ୍ରଙ୍କ ସମେତ ବହୁ କଂଗ୍ରେସ ନେତୃବୃନ୍ଦ ଏପରି ଘର ଘର ବୁଲୁଛନ୍ତି ।