ଯାଜପୁର:ଯାଜପୁର ନେତା କହୁଛନ୍ତି ଆମେ ଏକାଠି, ବବି କହିଲେ ଆମେ ଏକାଠି । କିନ୍ତୁ ବିଜେଡିର ଯାଜପୁର ଜିଲ୍ଲାସ୍ତରୀୟ ସଦସ୍ୟ ସଂଗ୍ରହ କାର୍ଯ୍ୟକ୍ରମରେ କିଛି ଠିକ୍ ଠାକ ନଥିବା ଦେଖାଯାଇଛି । କାରଣ ହେଉଛି ବିଜେଡିର କିଛି ତୁଙ୍ଗ ନେତାଙ୍କ କାର୍ଯ୍ୟକ୍ରମରେ ଅନୁପସ୍ଥିତିକୁ ନେଇ ଆଲୋଚନା ଦାଣ୍ଡରେ ପଡି ହାଟରେ ଚର୍ଚା ଜୋର ଧରିଛି ।
ନେତାଙ୍କ ଭିତରେ ମତଭେଦ
ବିଜେଡିରେ ମଦଭେଦ ରହିଛି । ଏହା ଯେତେ ଲୁଚାଇଲେ ଲୁଚୁନାହିଁ । ବିଜେଡି ନେତାଙ୍କ ବୟାନ ତାଳମେଳ ଖାଉନାହିଁ । ତାଙ୍କ ଭିତରେ ଥିବା ବିବାଦ ପଦାରେ ପଡ଼ିଛି। ଖୋଲା ମଞ୍ଚରେ ବବି ( ପ୍ରଣବ ପ୍ରକାଶ ଦାସ) ଯାଜପୁର ବିଜେଡି ଏବେ ଏକାଠି ବୋଲି କହିଛନ୍ତି ସତ । କିନ୍ତୁ ବଡ଼ଚଣାର ପୂର୍ବତନ ବିଧାୟକ ଅମର ପ୍ରସାଦ ଶତପଥୀ, କୋରେଇର ପୂର୍ବତନ ବିଧାୟକ ଅଶୋକ ବଳ, ବରୀର ପୂର୍ବତନ ବିଧାୟିକା ସୁନନ୍ଦା ଦାସ ପ୍ରମୁଖ ସଦସ୍ୟତା ସଂଗ୍ରହ କାର୍ଯ୍ୟକ୍ରମ ବେଳେ ଅନୁପସ୍ଥିତ ରହିଛନ୍ତି ।
କାହିଁକି ଅନୁପସ୍ଥିତ ?
ବିଜେଡିର ଦଳୀୟ କାର୍ଯ୍ୟକ୍ରମରୁ କାହିଁକି ଦୂରେଇ ରହୁଛନ୍ତି ଏହି ବରିଷ୍ଠ ନେତା । ଯାଜପୁର ବିଜେଡି କହିଲେ ବବି-ଜିତୁ-ଡାନିକୁ ବୁଝାଏ ବୋଲି ବବି କହିବା ପରେ ଏହି ନେତାମାନେ ଆସିନଥିବା କୁହାଯାଉଛି । କାରଣ ଅମର-ଅଶୋକ-ସୁନନ୍ଦା ଅପମାନ ପାଇଥିବାରୁ ଅନୁପସ୍ଥିତ ଥିବା ବିଭିନ୍ନ ଗଣମାଧ୍ୟମରେ ପ୍ରକାଶ ପାଇଛି ।
ଅମର ସାମୟିକ ଅନୁପସ୍ଥିତ କାହିଁକି?
ସଦସ୍ୟ ସଂଗ୍ରହ ଅଭିଯାନ କାର୍ଯ୍ୟକ୍ରମରୁ ସାମୟିକ ଅନୁପସ୍ଥିତ ଅଛନ୍ତି କହିଛନ୍ତି ଅମର ଶତପଥୀ । ଦଳୀୟ କାର୍ଯ୍ୟକ୍ରମରୁ ଦୂରେଇ ରହିବା ପ୍ରସଙ୍ଗରେ ବଡ଼ଚଣାର ପୂର୍ବତନ ବିଧାୟକ ଅମର ଶତପଥୀ ଓ ବରୀର ପୂର୍ବତନ ବିଧାୟିକା ସୁନନ୍ଦା ଦାସଙ୍କ ସ୍ବାମୀ ଦେବେନ୍ଦ୍ର ଦାସ ସିଧା ସିଧା ବିରୋଧ ନକଲେ ମଧ୍ୟ ପରୋକ୍ଷରେ ଅସନ୍ତୁଷ୍ଟ ଥିବା ତାଙ୍କ ବକ୍ତବ୍ୟରୁ ଜଣାପଡୁଛି ।
ବିଜେପି ଓ ବିଜେଡି ମଧ୍ୟରେ ପ୍ରତିଯୋଗିତା
ବିଜେଡି ହାରିଛି, ବିଜେପି ଜିତିଛି । ବିଜେପି ସରକାର ଗଠନ କରିବା ପରେ ସଦସ୍ୟତା କାର୍ଯ୍ୟକ୍ରମକୁ ଜୋରଦାର କରିଛି । ଏଭଳି ସମୟରେ ବିଜେଡି ମଧ୍ୟ ସଦସ୍ୟତା କାର୍ଯ୍ୟକ୍ରମକୁ ଜୋରଦେଇ କାର୍ଯ୍ୟକ୍ରମ କରୁଛି । ଦଳୀୟ ସଦସ୍ୟତା କାର୍ଯ୍ୟକ୍ରମକୁ ନେଇ ଶାସକ ବିଜେପି ଓ ବିରୋଧୀ ବିଜେଡି ନେତାମାନଙ୍କ ମଧ୍ୟରେ ପ୍ରତିଯୋଗିତା ହେଉଛି । ନେତାମାନେ ନିଜ ନିଜର ଶକ୍ତି ପ୍ରଦର୍ଶନ କରୁଛନ୍ତି ।
ଯାଜପୁରରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ
ଗତମାସ ୨୯ ତାରିଖରେ ବିଜେପି ଜିଲ୍ଲା ସଭାପତି ଗୌତମ ରାୟଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବିଜେପିର ସଦସ୍ୟତା ଅଭିଯାନରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ମନ୍ତ୍ରୀ ପ୍ରଦୀପ ବଳସାମନ୍ତ, ବଡ଼ଚଣା ବିଧାୟକ ଅମର କୁମାର ନାୟକ, ଧର୍ମଶାଳା ବିଧାୟକ ହିମାଂଶୁ ଶେଖର ସାହୁ, ବିଂଝାରପୁର ନେତ୍ରୀ ବବିତା ମଲ୍ଲିକ, ବରୀର ଉମେଶ ଜେନା ଯୋଗ ଦେଇ ବିଜେପିର ଶକ୍ତି ପ୍ରଦର୍ଶନ କରିଥିଲେ।
ବିଜେଡିର ସର୍ବେସର୍ବା ଜିଲ୍ଲାରେ ବବି
ଯାଜପୁର ଜିଲ୍ଲାରେ ବିଜେଡିର ସର୍ବେସର୍ବା ବବି । ସଦସ୍ୟ ସଂଗ୍ରହ ଅଭିଯାନରେ ବବି ହିଁ ସବୁକିଛି କହିଛନ୍ତି ନିଜେ ବବି । ସେ ଯାହା କୁହନ୍ତି ଜିଲ୍ଲାରେ ତାହା ହୁଏ । ବିଜେଡି ଜିଲ୍ଲା ସଭାପତି ସରୋଜ କୁମାର ମହାପାତ୍ର ଅଧ୍ୟକ୍ଷତା କରିଥିବା ବେଳେ ଯାଜପୁରର ପୂର୍ବତନ ବିଧାୟକ ବବି ( ପ୍ରଣବ ପ୍ରକାଶ ଦାସ), ସୁକିନ୍ଦାର ପୂର୍ବତନ ବିଧାୟକ ପ୍ରୀତିରଞ୍ଜନ ଘଡ଼ାଇ (ଡାନି), ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ କୁମାର ବଳବନ୍ତରାୟ, ବରୀ ବିଧାୟକ ବିଶ୍ବରଞ୍ଜନ ମଲ୍ଲିକ, ଯାଜପୁର ବିଧାୟିକା ସୁଜାତା ସାହୁ, ପୂର୍ବତନ ସାଂସଦ ଶର୍ମିଷ୍ଠା ସେଠୀ ଯୋଗ ଦେଇଥିଲେ।