ଓଏସଏସସି ପ୍ରଶ୍ନପତ୍ର ଲିକ୍ ପ୍ରସଙ୍ଗ, ବିଜେପି ଉପରେ ବର୍ଷିଲା ବିଜେଡି

ଭୁବନେଶ୍ୱର: ଓଏସଏସସି ପ୍ରଶ୍ନପତ୍ର ଲିକ୍ ପ୍ରସଙ୍ଗରେ ବିଜେପି, ବିଜଡି  ନେତାଙ୍କ ବୟାନବାଜି ଜୋର ଧରିଛି । ବିଜେପି ଏହି ପ୍ରସଙ୍ଗରେ ବିଜେଡିକୁ ଦୋଷ ଦେଉଥିବା ବେଳେ ବିଜେଡି ମଧ୍ୟ ବିଜେପି ଉପରେ ବର୍ଷିଛି । ବିଜେଡି କହିଛି ଏହି ରାକେଟ୍ ଉତ୍ତରପ୍ରଦେଶ ଓ ଗୁଜରାଟର ଷ୍ଟାଫ୍ ସିଲେକସନ୍ କମିଶନ ପ୍ରଶ୍ନପତ୍ର ଲିକ୍‌ରେ ବି ସଂପୃକ୍ତ ଥିବା ସନ୍ଦେହ କରାଯାଉଛି। ଏହାର ପୁଙ୍ଖାନୁପୁଙ୍ଖ ତଦନ୍ତ ଚାଲିଛି। ଖୁବଶୀଘ୍ର ତଦନ୍ତରୁ ସବୁ କଥା ସ୍ପଷ୍ଟ ହେବ। ହେଲେ ତଦନ୍ତ ଶେଷ ହେବା ପୂର୍ବରୁ ଓଡ଼ିଶା ବିଜେପି ନେତାମାନେ ଏତେ ବିଚଳିତ ଓ ଅଧୈର୍ଯ୍ୟ କାହିଁକି ହୋଇ ପଡ଼ୁଛନ୍ତି ବୋଲି ପ୍ରଶ୍ନ କରିଛନ୍ତି ବିଜେଡି ମୁଖପାତ୍ର ଗୌତମବୁଦ୍ଧ ଦାସ।

ସେପଟେ ବିଜେପି ମଧ୍ୟ ଏହି ପ୍ରସଙ୍ଗରେ ବିଜେଡିକୁ ଟାର୍ଗେଟ କରିଥିଲା ।  ବେକାର ଯୁବକ ଯୁବତୀ ଯେଉଁମାନେ ସରକାରୀ ଚାକିରୀ ଆଶାରେ ଅଛନ୍ତି ଓଡିଶା ସରକାର ସେମାନଙ୍କ ସହିତ ପ୍ରତାରଣା କରିଛନ୍ତି ବୋଲି ବିଜେପି କହିଥିଲା। ରାଜ୍ୟରେ ସରକାରୀ ଚାକିରୀ ବିକ୍ରି ହେଉଛି । ଜେଇ ସିଭିଲ ମେନ୍ ପରୀକ୍ଷାର ପ୍ରଶ୍ନ ପତ୍ର ଲିକ୍ ଘଟଣାରେ ସଂପୃକ୍ତ ପ୍ରିଂଟିଙ୍ଗ ପ୍ରେସ୍ ବିରୋଧରେ କାହିଁକି ଏଫ୍‌ଆଇଆର କରାଯାଇନାହିଁ  ବୋଲି ପ୍ରଶ୍ନ କରିଥିଲା ।  ଓଏସ୍‌ଏସ୍‌ସିରେ ଅନଲାଇନ ଆବେଦନ ବେଳେ ଦିଆଯାଇଥିବା ମୋବାଇଲ ନମ୍ବର ଦଲାଲମାନଙ୍କ ହାତକୁ ଗଲା କେମିତି  ବୋଲି ବିଜେପି ପ୍ରଶ୍ନ କରିଥିଲା ।