ରାଜ୍ୟସଭା ଉପାଧ୍ୟକ୍ଷ ପ୍ୟାନେଲରେ ବିଜେଡି ସାଂସଦ ମମତା ମହାନ୍ତ
ନୂଆଦିଲ୍ଲୀ: ମୟୂରଭଞ୍ଜର ନାରୀ ନେତ୍ରୀ ତଥା ବିଜେଡି ରାଜ୍ୟସଭା ସାଂସଦ ମମତା ମହାନ୍ତ ରାଜ୍ୟସଭା ଉପାଧ୍ୟକ୍ଷ ପ୍ୟାନେଲର ସଦସ୍ୟା ଭାବେ ନିଯୁକ୍ତି ପାଇଛନ୍ତି। ତାଙ୍କ ନାମ ଘୋଷଣା ହେବାର ପ୍ରଥମ ଦିନରେ ସେ ଗୃହ କାର୍ଯ୍ୟ ପରିଚାଳନା କରିବାର ସୌଭାଗ୍ୟ ମଧ୍ୟ ପାଇଛନ୍ତି। ପଞ୍ଚାୟତ ରାଜନୀତିରୁ ନିଜ କ୍ୟାରିୟର ଆରମ୍ଭ କରିଥିବା ଶ୍ରୀମତୀ ମହାନ୍ତ ରାଜ୍ୟସଭାର ବହୁ ଗୁରୁତ୍ବପୂର୍ଣ୍ଣ କମିଟିର ସଦସ୍ୟ ରହିଛନ୍ତି। ବିଭିନ୍ନ ସମୟରେ ସେ ସଂସଦରେ କୁଡୁମି ଜାତିକୁ ଜନଜାତି ମାନ୍ୟତା ଦେବା, ବାଙ୍ଗିରିପୋଷି ଘାଟି ରାସ୍ତା ସାମ୍ପ୍ରସାରଣ, ମୟୂରଭଞ୍ଜରେ ରେଳ ବିକାଶ ଭଳି ଦାବି ସହ ଓଡ଼ିଶାର ସ୍ବାର୍ଥ ଦୃଷ୍ଟିରୁ ବହୁ ଦାବି ଉପସ୍ଥାପନ କରି ଚର୍ଚ୍ଚାକୁ ଆସିଛନ୍ତି। ୨୦୨୦ରେ ରାଜ୍ୟସଭା ପ୍ରାର୍ଥୀ ଭାବେ ମନୋନୀତ ସହ ସାଂସଦ ହୋଇଥିଲେ ।ସୋମବାର ସଂସଦର ସ୍ବତନ୍ତ୍ର ଅଧିବେଶନ ଆରମ୍ଭରେ ଉପାଧ୍ୟକ୍ଷ ଜଗଦୀପ ଧନକଡ ସାଂସଦ ଶ୍ରୀମତୀ ମହାନ୍ତଙ୍କ ନାମ ସମେତ ୮ ଜଣ ପ୍ୟାନେଲ ସଭ୍ୟଙ୍କ ନାମ ଘୋଷଣା କରିଥିଲେ। ଏଥିରେ ମଧ୍ୟ ୫୦ ପ୍ରତିଶତ ମହିଳା ସ୍ଥାନ ପାଇଥିବା ସେ କହିଥିଲେ। ଶ୍ରୀମତୀ ମହାନ୍ତଙ୍କୁ ଏହି ନିଯୁକ୍ତି ମିଳିବା ନିଶ୍ଚିତ ଭାବେ ଓଡ଼ିଶା ଓ ମୟୂରଭଞ୍ଜ ଜିଲ୍ଲାର ଗୌରବର ବିଷୟ।