ଟ୍ରେନ୍ ଦୁର୍ଘଟଣାରେ ମୃତକଙ୍କ ଆତ୍ମାର ଶାନ୍ତି ପାଇଁ ସାମୂହିକ ମୁଣ୍ଡନ କାର୍ଯ୍ୟକ୍ରମ
ସୋର: ବାହାନଗାରେ ମୃତକଙ୍କ ଆତ୍ମାର ସଦଗତି ପାଇଁ ବାହାନଗାରେ ଆୟୋଜିତ ହୋଇଛି ସ୍ବତନ୍ତ୍ର କାର୍ଯ୍ୟକ୍ରମ । ଗୋସାଇଁ ପୋଖରୀରେ ସାମୂହିକ ମୁଣ୍ଡନ କରି ମୃତକଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଲେ ଲୋକେ । କାର୍ଯ୍ୟକ୍ରମରେ ବାହାନଗା, ସୋର ଓ ବାଲେଶ୍ୱର ସାମାଜିକ ସଂଗଠନର କର୍ମକର୍ତ୍ତା, ସ୍ବେଚ୍ଛାକୃତ ଭାବରେ ଜଣକ ପରେ ଜଣେ ଆସି ମୁଣ୍ଡନ ହୋଇଛନ୍ତି ।

ଯେଉଁମାନେ ମୁଣ୍ଡନ ହେଉଛନ୍ତି ସେମାନଙ୍କୁ ନୂଆଲୁଗା, ମାଳ, ପରିଧାନ କରିବା ପାଇଁ ସଂଘଠନ ପକ୍ଷରୁ ଯୋଗାଇ ଦିଆ ଯାଇଛି । ବାହାନଗା ରେଳ ଦୁର୍ଘଟଣାରେ ପ୍ରାଣ ହରାଇଥିବା ବ୍ୟକ୍ତିଙ୍କ ଆତ୍ମାର ସଦଗତି, ଆହତଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି ବାସିନ୍ଦା । ଏହାସହିତ ଅଷ୍ଟପ୍ରହରୀ ନାମ ସଂକୀର୍ତ୍ତନ ସମେତ ଶ୍ରଦ୍ଧାଞ୍ଜଳି କାର୍ଯ୍ୟକ୍ରମ କରାଯାଉଛି । ଭୋର ୫ଟାରୁ ଅଷ୍ଟପ୍ରହରୀ ନାମ ସଂକୀର୍ତ୍ତନ ଆରମ୍ଭ ହୋଇଛି । ଅଖଣ୍ଡ ଗାୟତ୍ରୀମନ୍ତ୍ର ଜପ କରାଯିବ । ପରେ ସର୍ବଧର୍ମ ପ୍ରାର୍ଥନା ସଭା ଓ ଶ୍ରଦ୍ଧାଞ୍ଜଳି ଦିଆଯିବା ସହ ସାମୂହିକ ବେଦପାଠ ଓ ଦୀପଦାନ କରିବା କାର୍ଯ୍ୟକ୍ରମ ରହିଛି । ବାହାନଗାରେ ଲୌହ ଦାନବର ନରସଂହାର ଏବେ ବି ଲୋକଙ୍କ ମନରୁ ଯାଇନି । ମୃତକଙ୍କ ଆତ୍ମାର ସଦଗତି ଓ ଆହତଙ୍କ ଆରୋଗ୍ୟ କାମନା କରି ବାହାନଗାରେ ସ୍ବତନ୍ତ୍ର କାର୍ଯ୍ୟକ୍ରମ ଆୟୋଜନ ହୋଇଛି । ଆଜି ବାହାନଗା ସ୍କୁଲ ପଡିଆରେ ଆୟୋଜିତ ହେବ ବିଶ୍ବଶାନ୍ତି ମହାଯଜ୍ଞ, ଅଷ୍ଟପ୍ରହର ନାମ ସଂକୀର୍ତ୍ତନ ସମେତ ଶ୍ରଦ୍ଧାଞ୍ଜଳି କାର୍ଯ୍ୟକ୍ରମ । କଳସ ଶୋଭାଯାତ୍ରା କରାଯିବ । ଆଗାମୀ ଦିନରେ ଏପରି କାଳ ରାତି ଆଉ କେବେ ନଆସୁ ବୋଲି ସମସ୍ତେ ପ୍ରାର୍ଥନା କରିଛନ୍ତି ।