ବାହାନଗା ରେଳ ଦୁର୍ଘଟଣାକୁ ମାସେ : ଦୋଷୀ ଧରାପଡିନି

ଭୁବନେଶ୍ବର : ବାଲେଶ୍ବର ଜିଲ୍ଲା ବାହାନଗା ରେଳ ଦୁର୍ଘଟଣା ମାମଲାକୁ ମାସେ ପୂରିଛି। ଏହି ଦୁର୍ଘଟଣାରେ ଏବେ ସୁଦ୍ଧା ୨୯୩ ଜଣଙ୍କ ଜୀବନ ଯାଇଛି । ତେବେ ମାସେ ପରେ ମଧ୍ୟ ଦୋଷୀ କିଏ ଧରାପଡିନି ।  କେବଳ ରେଳ ଅଧିକାରୀଙ୍କୁ ପଚରାଉଚରାରେ ତଦନ୍ତ ସୀମିତ ହୋଇରହିଛି। ଯେଉଁଭଳି ଆରମ୍ଭରୁ ତତ୍ପରତା ଦେଖାଗଲା ସିବିଆଇ ତଦନ୍ତକାରୀ ଦଳ ସେଭଳି କିଛି ପର୍ଦ୍ଦାଫାସ୍ କରି ନ ପାରିବା ଘଟଣା ସାଧାରଣରେ ଆଲୋଚନାର ବିଷୟ ପାଲଟିଛି। ବାହାନଗା ରେଳ ଦୁର୍ଘଟଣା ମନ୍ୟୁଷକୃତ ତ୍ରୁଟି। ସିଗନାଲ୍ ଅପରେଟିଂ ବ୍ୟବସ୍ଥା, ରିଲେ ରୁମ୍ ପରିଚାଳନାରେ ତ୍ରୁଟି, ଦାୟିତ୍ୱରେ ଥିବା ଅଧିକାରୀ ଓ କର୍ମଚାରୀଙ୍କ ଅବହେଳା ତଥା ରେଳ ଚଳାଚଳ କ୍ଷେତ୍ରରେ ଥିବା ମାର୍ଗଦର୍ଶିକା (ଏସ୍‌ଓପି)କୁ ଅଣଦେଖା କରାଯିବା ଫଳରେ ଏତେ ବଡ଼ ଦୁର୍ଘଟଣା ଘଟିଲା ବୋଲି ରେଳବାଇ ନିଜ ଆଭ୍ୟନ୍ତରୀଣ ରିପୋର୍ଟରେ ଦର୍ଶାଇଛି। ରେଳ ନିରାପତ୍ତା କମିସନର  ଗତ ୨୯ ତାରିଖରେ ରେଳବାଇ ବୋର୍ଡକୁ ତଦନ୍ତ ରିପୋର୍ଟ ପ୍ରଦାନ କରିବା ପରେ  ଗତକାଲି ଦକ୍ଷିଣ-ପୂର୍ବ ରେଳପଥ ଖଡଗପୁର ଡିଭିଜନ୍‌ର ଜିଏମ୍ ତଥା ଭାରତୀୟ ରେଳ ଟ୍ରାଫିକ୍ ସେବାର ବରିଷ୍ଠ ଅଧିକାରୀ (ଆଇଆରଟିଏସ୍‌) ଅର୍ଚ୍ଚନା ଯୋଶୀଙ୍କୁ ତାଙ୍କ ପଦରୁ ହଟାଇ ଦିଆଯାଇଛି। କ୍ୟାବିନେଟ୍‌ ନିଯୁକ୍ତି ସଂକ୍ରାନ୍ତ କମିଟିର ଅନୁମୋଦନ କ୍ରମେ ବରିଷ୍ଠ ଅଧିକାରୀ ଅନୀଲ କୁମାର ମିଶ୍ରଙ୍କୁ ଦକ୍ଷିଣ-ପୂର୍ବ ରେଳପଥ ଡିଭିଜନ୍‌ର ନୂଆ ଜେନେରାଲ ମ୍ୟାନେଜର ଭାବେ ନିଯୁକ୍ତି ଦିଆଯାଇଛି।