ଆମ ଓଡ଼ିଶା, ନବୀନ ଓଡ଼ିଶାରେ ଯୋଡ଼ି ହେଲା ବଲାଙ୍ଗୀର

ବଲାଙ୍ଗୀର: ବାଲେଶ୍ବର ପରେ ବଲାଙ୍ଗୀର ଜିଲ୍ଲାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କଲେ ‘ଆମ ଓଡ଼ିଶା, ନବୀନ ଓଡ଼ିଶା’ର ଶୁଭାରମ୍ଭ । ବଲାଙ୍ଗୀରର ସମସ୍ତ ୧୪ଟି ବ୍ଲକର ଜନ ପ୍ରତିନିଧି ଓ ଜନତାଙ୍କ ସହ ସିଧାସଳଖ ଯୋଡ଼ି ହୋଇଥିଲେ ମୁଖ୍ୟମନ୍ତ୍ରୀ ଏବଂ ଆମ ଓଡ଼ିଶା ନବୀନ ଓଡ଼ିଶା ଅଧ୍ୟକ୍ଷ ଭି.କେ. ପଣ୍ଡିଆନ । ବଲାଙ୍ଗୀର ଜିଲ୍ଲାକୁ ମିଳିଛି ୧୫୮ କୋଟି ୫୦ ଲକ୍ଷ ଟଙ୍କାର ଅନୁଦାନ । ଜିଲ୍ଲାର ୩ ହଜାର ୯୧୧ଟି ଉନ୍ନୟନ ପ୍ରକଳ୍ପ ପାଇଁ ବିନିଯୋଗ ହେବ ଏହି ଅର୍ଥ ରାଶି । ହରିଶଙ୍କର ମନ୍ଦିରର ରୁପାନ୍ତରିକରଣ ପାଇଁ ୭ କୋଟି ଟଙ୍କା ଅତିରିକ୍ତ ଅର୍ଥ ମଞ୍ଜୁର କରିଛନ୍ତି ମୁଖ୍ୟମନ୍ତ୍ରୀ । ବଲାଙ୍ଗୀର ସମଲେଶ୍ଵରୀ ମନ୍ଦିର ଉନ୍ନତି ପାଇଁ ୩ କୋଟି ୪୦ ଲକ୍ଷ ଟଙ୍କା ସହ ପାଟଣେଶ୍ବରୀ ମନ୍ଦିର ଓ ଗୋପାଳଜୀ ମନ୍ଦିରର ଉନ୍ନତି ପାଇଁ ଅର୍ଥରାଶି ଘୋଷଣା ହୋଇଛି । ସେହିପରି ରାଜେନ୍ଦ୍ର ବିଶ୍ବବିଦ୍ୟାଳୟର ଉନ୍ନତି ପାଇଁ ବି ଅର୍ଥ ଘୋଷଣା ହୋଇଛି । ଏହାସହ ବିଭିନ୍ନ ବ୍ଲକରେ ଧର୍ମପୀଠ, ଜଳସେଚନ, ଗ୍ରାମାଞ୍ଚଳ ରାସ୍ତା ପ୍ରଶସ୍ତିକରଣ, ବିଭିନ୍ନ ସ୍ଥାନରେ ନୂଆ ବସଷ୍ଟାଣ୍ଡ ନିର୍ମାଣ ସହ ଶିକ୍ଷା ଭିତ୍ତଭୂମିର ବିକାଶ ପାଇଁ ବି ଆମ ଓଡ଼ିଶା ନବୀନ ଓଡ଼ିଶା ଯୋଜନାରେ ଅର୍ଥରାଶି ଘୋଷଣା ହୋଇଛି ।