ଆଜି ସକାଳ ୯ଟାରୁ ପୁଣି ରଥଟଣା ଆରମ୍ଭ ହେବ । ସେଥିପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି । ତିନି ରଥ ଶ୍ରୀଗୁଣ୍ଡିଚା ମନ୍ଦିରଠାରେ ପହଞ୍ଚିବା ପରେ ପରଦିନ ଆଡ଼ପ ପହଣ୍ଡି ଓ ବିଜେ ନୀତି ଅନୁଷ୍ଠିତ ହେବ। ପରେ ରତ୍ନସିଂହାସନରୁ ଦର୍ଶନ ଦେଉଥିବା ମହାବାହୁ ଜନ୍ମବେଦିରୁ ଭକ୍ତଙ୍କୁ ଦର୍ଶନ ଦେବେ। ଗତକାଲି ଶ୍ରଦ୍ଧାଳୁଙ୍କ ଗହଣରେ ଶ୍ରୀଗୁଣ୍ଡିଚା ଯାତ୍ରାରେ ବାହାରିଥିବା ଚତୁର୍ଦ୍ଧାବିଗ୍ରହଙ୍କ ତିନି ରଥ ଅଳ୍ପ ବାଟ ଗଡ଼ି ଅଟକିଛନ୍ତି। ନନ୍ଦିଘୋଷ ରଥ ଚକେ ଗଡ଼ି ବଡ଼ଆଖଡ଼ା ମଠ ଆଗରେ ଅଟକିଥିବା ବେଳେ ଅଧାବାଟରେ ଅଛନ୍ତି ତାଳଧ୍ବଜ ଓ ଦର୍ପଦଳନ ରଥ। ମରିଚିକୋଟ ଛକରେ ତାଳଧ୍ବଜ ରଥ ଓ ଦର୍ପଦଳନ ରଥ ଶ୍ରୀନଅର ନିକଟରେ ଅଟକିଛନ୍ତି।
ଚଳିତ ରଥଯାତ୍ରାରେ ୧୫ ଦିନ ବଦଳରେ ୧୩ ଦିନିଆ ଅଣସର ପରେ ଆଜିଗୋଟିଏ ଦିନରେ ଶ୍ରୀଜିଉମାନଙ୍କ ନେତ୍ରୋତ୍ସବ, ନବଯୌବନ ଦର୍ଶନ ସହ ଶ୍ରୀଗୁଣ୍ଡିଚା ଯାତ୍ରା ଅନୁଷ୍ଠିତ ହୋଇଛି। ଏଣୁ ନୀତିକାନ୍ତି ଅଧିକ କାରଣରୁ ଦୁଇଦିନ ରଥ ଟଣା ହେବ ବୋଲି ପୂର୍ବରୁ ଘୋଷଣା ହୋଇଥିଲା।ଭକ୍ତଙ୍କ ପାଖକୁ ଓହ୍ଲାଇ ଆସିଛନ୍ତି ଭାବ ବିନୋଦିଆ କଳାଠାକୁର। ଭାଇଭଉଣୀଙ୍କ ସହ ରତ୍ନସିଂହାସନ ଛାଡ଼ି ଆରମ୍ଭ କରିଛନ୍ତି ନବଦିନାତ୍ମକ ଶ୍ରୀଗୁଣ୍ଡିଚା ଯାତ୍ରା। ଘଣ୍ଟନାଦ ସହ ବର୍ଷକ ପରେ ପୁଣିଥରେ ତିନିଠାକୁରଙ୍କୁ ନେଇ ଘର୍ଘର ନାଦ ଦେଇ ବଡ଼ଦାଣ୍ଡରେ ଗଡ଼ିଛି ରଥ।
ଏକାକାର ହୋଇଛନ୍ତି ଭକ୍ତ ଓ ଭଗବାନ। ରାଷ୍ଟ୍ରପତିଙ୍କ ସହ ମୁଖ୍ୟମନ୍ତ୍ରୀ ପୂର୍ବତନ ମୁଖ୍ୟମନ୍ତ୍ରୀ ମହାପ୍ରଭୁଙ୍କୁ ବଡ଼ ଦାଣ୍ଡରେ ଦର୍ଶନ କରିଛନ୍ତି । ସେପଟେ ହରିବୋଲ, ହୁଳହୁଳି, ଜୟ ଜଗନ୍ନାଥ, ମଣିମା ମଣିମା ଡାକରେ ପ୍ରକମ୍ପିତ ହୋଇଥିଲା ଖଣ୍ଡମଣ୍ଡଳ। ରଥାରୂଢ଼ କାଳିଆ ସାଆନ୍ତଙ୍କୁ ଦେଖି ଭକ୍ତି ଭାବରେ ଭିଜିଥିଲେ ୧୦ଲକ୍ଷରୁ ଅଧିକ ଶ୍ରଦ୍ଧାଳୁ। ଚର୍ମଚକ୍ଷୁରେ ଦର୍ଶନ ସୌଭାଗ୍ୟ ଲଭି ଝରାଇଥିଲେ ଆନନ୍ଦାଶ୍ରୁ। ରଥ ଦଉଡ଼ି ସ୍ପର୍ଶ କରି ଅର୍ଜିଛନ୍ତି କୋଟିପୁଣ୍ୟ। ଭଜନକୀର୍ତ୍ତନର ତାଳେ ତାଳେ ନୃତ୍ୟଗୀତ କରିବା ସହ ଖୁସିରେ ବଡ଼ଦାଣ୍ଡରେ ଲୋଟିଛନ୍ତି। ଆଶୀର୍ବାଦ ପାଇଁ କରିଛନ୍ତି କୃପାଭିକ୍ଷା। ଭଜନକୀର୍ତ୍ତନରେ ସୃଷ୍ଟି ହୋଇଛି ଭକ୍ତି ଓ ଭାବମୟ ପରିବେଶ। ଶ୍ରଦ୍ଧା ଓ ଭକ୍ତିରେ ଭିଜିଛି ସମଗ୍ର ବଡ଼ଦାଣ୍ଡ।