ଶିଶୁ କନ୍ୟାକୁ ଦୁଷ୍କର୍ମ: ଅଭିଯୁକ୍ତକୁ ଗିରଫ କଲା ପୋଲିସ
ଭୁବନେଶ୍ବର: ୩ ବର୍ଷର ଶିଶୁ କନ୍ୟାକୁ ପ୍ରଲୋଭିତ କରି ଦୁଷ୍କର୍ମ ଅଭିଯୋଗ । ଏପରି ଏକ ଚାଞ୍ଚଲ୍ୟକର ଘଟଣାକୁ ନେଇ କମିଶନରେଟ ପୋଲିସ ତଦନ୍ତ ପରେ ଅଭିଯୁକ୍ତକୁ ଗିରଫ କରିଛି । ଏୟାରଫିଲ୍ଡ ଥାନା ଅଞ୍ଚଳରୁ ଅଭିଯୁକ୍ତ ସନ୍ତୋଷ ଖୁଣ୍ଟିଆଙ୍କୁ ଗିରଫ କରିଛି ପୁଲିସ। ଅଭିଯୁକ୍ତ ସନ୍ତୋଷ ଏୟାରଫିଲଡ ଥାନା ପାଞ୍ଚଗାଁ ଅଞ୍ଚଳର । ସେ ଡ୍ରାଇଭର ଭାବେ କାମ କରୁଥିବା ବେଳେ ପଡ଼ୋଶୀ ଘର ଶିଶୁକୁ ନେଇ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଥିଲା । ସନ୍ତୋଷଙ୍କ ବୟସ ୨୩ ବର୍ଷ । ପୀଡ଼ିତା ଶିଶୁ କନ୍ୟାର ପରିବାର ସନ୍ତୋଷଙ୍କ ଘର ସମ୍ମୁଖରେ ରହୁଥିବା ବେଳେ ଏପରି ଘଟଣା ଘଟିଥିବା ପୋଲିସ କହିଛି । ଗତକାଲି ପୀଡ଼ିତାଙ୍କୁ ଧରି ତାଙ୍କ ବାପା ଘର ସମ୍ମୁଖ ଦାଣ୍ଡରେ ବୁଲାଉଥିଲେ। ଉକ୍ତ ସମୟରେ ନିଶାସକ୍ତ ଥିବା ସନ୍ତୋଷ ବିଭିନ୍ନ ପ୍ରଲୋଭନ ଦେଖାଇ ପିଲାଟିକୁ ନିଜ ଘରକୁ ନେଇ ଯାଇଥିଲେ। ସେଠାରେ କେହି ନ ଥିବା ସୁଯୋଗରେ ସେ କବାଟ ଦେଇ ଶିଶୁଟି ସହ ଦୁଷ୍କର୍ମ କରିଥିଲେ।ଶିଶୁଟି ଚିତ୍କାର କରିବାରୁ ପରିବାର ଲୋକେ ସେଠାରେ ପହଞ୍ଚିଥିଲେ। ଏହାପରେ ଭୟଭୀତ ହୋଇ ପଡ଼ିଥିବା ସନ୍ତୋଷ ଘଟଣାସ୍ଥଳରୁ ଫେରାର ହୋଇ ଯାଇଥିଲା। ଏନେଇ ଭୁବନେଶ୍ୱର ଡିସିପି ପ୍ରତୀକ ସିଂହ କହିଛନ୍ତି, ଅଭିଯୁକ୍ତଜଣକ ନିଜ ସାଙ୍ଗ ସହ ଫେରାର ହୋଇଯାଇଥିଲା । ଘଟଣାର ୨୪ ଘଣ୍ଟା ମଧ୍ୟରେ ଅଭିଯୁକ୍ତଙ୍କୁ ଗିରଫ କରାଯାଇ ତାଙ୍କ ମେଡିକାଲ ଚେକଅପ୍ କରାଯାଇଛି। ଏହାପରେ ତାଙ୍କୁ କୋର୍ଟଚାଲାଣ କରାଯାଇଛି।