ଆସନ୍ତାକାଲିଠାରୁ ଏକାମ୍ର ପ୍ରକଳ୍ପର ଭୂମି ପୂଜନ ଯଜ୍ଞ

ଭୁବନେଶ୍ୱର: ଏକାମ୍ର ପ୍ରକଳ୍ପର ଭୂମି ପୂଜନ ପାଇଁ ତିନି ଦିନର ଗ୍ରାଣ୍ଡ ସେରିମନି । ଆସନ୍ତାକାଲିଠାରୁ ୨୮ ତାରିଖ ପର୍ଯ୍ୟନ୍ତ ଚାଲିବ କାର୍ଯ୍ୟକ୍ରମ । ଆସନ୍ତାକାଲି ସଂଧ୍ୟା ସାଢେ ୭ଟାରୁ ଆରମ୍ଭ ହେବ ଯଜ୍ଞ । ଏକାମ୍ର କ୍ଷେତର ସମୃଦ୍ଧ ସାଂସ୍କୃତିକ ଐତିହ୍ୟ ଏବଂ ପରମ୍ପରାକୁ ଦର୍ଶାଇ ଏକ ବିରାଟ କାର୍ଯ୍ୟକ୍ରମ ହେବାକୁ ଯାଉଛି । ଯାହାର ସିଧାପ୍ରସାରଣ କରାଯିବ । ଜୁନ୍ 28 ତାରିଖ ଦିନ ଭିତ୍ତିପ୍ରସ୍ତର ସ୍ଥାପନ ପାଇଁ ଆୟୋଜିତ ସମାରୋହରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ଅନ୍ୟ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗଦେବେ ।
ତିନି ଦିନିଆ ଉତ୍ସବରେ ଲିଙ୍ଗରାଜ ମନ୍ଦିର, ଅନନ୍ତ ବାସୁଦେବ, ମୁଖେଶ୍ବର ମନ୍ଦିର, ବିନ୍ଦୁ ସାଗର ଏବଂ ଅନ୍ୟାନ୍ୟ ଛୋଟ ମନ୍ଦିରଗୁଡ଼ିକ ଆଲୋକରେ ସୁସଜ୍ଜିତ ହେବ ।  ଏଥିସହ ପାରମ୍ପରିକ ଯଜ୍ଞ ରୀତିନୀତି ମାଧ୍ୟମରେ ପବିତ୍ର ବାତାବରଣ ସୃଷ୍ଟି ହେବ । ଆସନ୍ତାକାଲିଠୁ ବିଏମସି ମାର୍କେଟ କମ୍ପ୍ଲେକ୍ସରେ ଆକର୍ଷଣୀୟ ସ୍କାଏ ପ୍ରୋଜେକ୍ଟ, ଲାଇଟ ଏବଂ ସାଉଣ୍ଡ ସୋ, ନୃତ୍ୟ ପ୍ରଦର୍ଶନ ଦେଖିବାର ସୁଯୋଗ ପାଇବେ ଲୋକେ । ୨୭ ଏବଂ ୨୮ ତାରିଖ ସନ୍ଧ୍ୟାରେ ସନ୍ଧ୍ୟା ୫ଟା ୩୦ ରୁ ୧୦ ଟା ପର୍ଯ୍ୟନ୍ତ ଭଜନ ସମାରୋହ ମଧ୍ୟ ଆୟୋଜିତ ହେବ ।