ନୂଆପଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପାଇଁ ୭୫.୭୦ କୋଟି ଟଙ୍କା ମଞ୍ଜୁର

ଭୁବନେଶ୍ୱର: ନୂଆପଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଆଧୁନିକ ଟ୍ରମା କେଆର୍ କେନ୍ଦ୍ର ନିର୍ମାଣ ନିମନ୍ତେ ରାଜ୍ୟ ସରକାର ୭୫.୭୦ କୋଟି ଟଙ୍କା ମଞ୍ଜୁର କରିଛନ୍ତି । କେନ୍ଦ୍ରୀୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ନିୟମାବଳୀ ଅନୁଯାୟୀ ଏଥିରେ ଅତ୍ୟାଧୂନିକ ଚିକିତ୍ସା ଉପକରଣ, ଆଇସିୟୁ ପର୍ଯ୍ୟବେକ୍ଷଣ କକ୍ଷ, ଲ୍ୟାବ୍ ଓ ଇମେଜିଂ ଆଦିର ବ୍ୟବସ୍ଥା ରହିବ । ବର୍ତ୍ତମାନ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସରକାରୀ ହସ୍ପିଟାଲମାନଙ୍କରେ ୧୦୬ ଟି ଟ୍ରମା କେୟାର ସେଣ୍ଟର୍ ବ୍ୟବସ୍ଥା କରାଯାଇଛି । ଏସବୁରେ ୧୫୬୦ ଟି ବେଡ୍ ରହିଛି । ଏହାଛଡ଼ା ୧୮ ଟି  ଘରୋଇ ସ୍ପେସାଲିଷ୍ଟ୍ ହସ୍ପିଟାଲର ଟ୍ରମା କେନ୍ଦ୍ରକୁ ମଧ୍ୟ ଟ୍ରମା କେୟାର ଚିକିତ୍ସା ନିମନ୍ତେ ତାଲିକା ଅନ୍ତର୍ଭୁକ୍ତ କରାଯାଇଛି । ସୂଚନାଯୋଗ୍ୟ ଦୂର୍ଘଟଣାଗ୍ରସ୍ତ ଲୋକଙ୍କୁ ଘରୋଇ ହସ୍ପିଟାଲ୍ ଟ୍ରମା ସେଣ୍ଟର୍ ମାନଙ୍କରେ ଦେୟମୁକ୍ତ ଚିକିତ୍ସା ପାଇଁ ରାଜ୍ୟ ସରକାରଙ୍କ ତରଫରୁ ଟ୍ରମା କେୟାର୍ ଦେୟମୁକ୍ତ ଚିକିତ୍ସା ପାଣ୍ଠିର ବ୍ୟବସ୍ଥା ମଧ୍ୟ କରାଯାଇଛି ।