ବାଲେଶ୍ୱରରେ 5T ସଚିବ ଭିକେ ପାଣ୍ଡିଆନ୍‌

ବାଲେଶ୍ୱର: ୭ ଦିନ ମଧ୍ୟରେ ସବୁ ସମସ୍ୟାର ହେବ ସମାଧାନ। ବାଲେଶ୍ୱର ଜିଲ୍ଲା କୁପାରୀ ପଞ୍ଚାୟତ ପଡ଼ିଆରେ ଜନସାଧାରଣ ଓ ମିଶନ ଶକ୍ତି ମାଆମାନଙ୍କ ସହିତ ଆଲୋଚନା ବେଳେ ଏଭଳି ପ୍ରତିଶ୍ରୁତି ଦେଇଛନ୍ତି 5T ସଚିବ ଭିକେ ପାଣ୍ଡିଆନ୍‌। ସ୍ଥାନୀୟ ଅଞ୍ଚଳରେ ବିଭିନ୍ନ ଧାର୍ମିକ ଅନୁଷ୍ଠାନ ସହ କମ୍ୟୁନିଷ୍ଟି ସେଣ୍ଟର ପାଇଁ ଲୋକେ କରିଥିବା ଅନୁରୋଧକୁ ୭ ଦିନ ମଧ୍ୟରେ ମୁଖ୍ୟମନ୍ତ୍ରୀ ପୂରଣ କରିବେ ବୋଲି କହିଛନ୍ତି  ସଚିବ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶରେ ୫ଟି ସଚିବ ଭି.କେ. ପାଣ୍ଡିଆନ ଦୁଇ ଦିନିଆ ବାଲେଶ୍ୱର ଗସ୍ତରେ ଯାଇ ଜିଲ୍ଲାର ଅନେକ ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା କରିବା ସହିତ ସାଧାରଣ ଲୋକଙ୍କୁ ଭେଟି ସେମାନଙ୍କ ସମସ୍ୟାର ସମାଧାନ ପାଇଁ ପଦକ୍ଷେପ ନେଇଛନ୍ତି । ୫-ଟି ସଚିବ  ବାହାନଗା ଯାଇ ସ୍ଥାନୀୟ ହାଇସ୍କୁଲଠାରେ ସାଧାରଣ ଲୋକ, ଅଭିଭାବକ, ଶିକ୍ଷକ ଓ ସ୍କୁଲ କମିଟିର ସଦସ୍ୟମାନଙ୍କୁ ଭେଟିଥିଲେ । ଟ୍ରେନ ଦୁର୍ଘଟଣା ସମୟରେ, ସେଦିନର କାଳ ରାତ୍ରୀ କଥା ମନେ ପକାଇ ୫-ଟି ସଚିବ କହିଥିଲେ ଯେ, ସେମାନେ ଯେପରି ସ୍ୱତଃସ୍ଫୁର୍ତ୍ତ ଭାବରେ ଯେଭଳି ଲୋକଙ୍କୁ ଉଦ୍ଧାର କରିବା ପାଇଁ ଆଗେଇ ଆସିଥିଲେ, ଜୀବନ ବଞ୍ଚାଇବାକୁ ରକ୍ତଦାନ ପାଇଁ ଲାଇନ୍ ଲଗାଇଥିଲେ, ତା’ର ତୁଳନା ନାହିଁ । ସେମାନେ ମାନବିକତାର ଚରମ ନିଦର୍ଶନ ଦେଖାଇ ସାରା ଦେଶରେ ଓଡିଶା ପାଇଁ ପ୍ରଶଂସା ଆଣିଛନ୍ତି ବୋଲି ପ୍ରକାଶ କରିବା ସହିତ ସେ କହିଥିଲେ ଯେ ଆପଣମାନଙ୍କ ନିକଟରେ ସାରା ରାଜ୍ୟ ଚିର ଋଣୀ। ବାହାନଗା ପଞ୍ଚାୟତକୁ ଦେଶର ଏକ ମଡେଲ ପଞ୍ଚାୟତ ଭାବେ ବିକଶିତ କରାଯିବ ବୋଲି  କହିଥିଲେ । ୫-ଟି ସ୍କୁଲ ରୂପାନ୍ତର କାର୍ଯ୍ୟକ୍ରମରେ ବାହାନଗା ହାଇସ୍କୁଲର ରୂପାନ୍ତର କରାଯିବ ବୋଲି ପ୍ରକାଶ କରି ପାଣ୍ଡିଆନ ଏଥିପାଇଁ ମୁଖ୍ୟମନ୍ତ୍ରୀ ୨.୪୯ କୋଟି ଟଙ୍କା ମଂଜୁର କରିଛନ୍ତି ବୋଲି କହିଥିଲେ । ମୁଖ୍ୟମନ୍ତ୍ରୀ ଏ ସମ୍ପର୍କରେ ତୁରନ୍ତ ନିଷ୍ପତ୍ତି ନେବେ ବୋଲି ସେ କହିଥିଲେ । ବାଲେଶ୍ୱରର ଓଉପଦା ବ୍ଲକରେ ଥିବା ପ୍ରସିଦ୍ଧ ପଞ୍ଚଲିଙ୍ଗେଶ୍ୱର ଓ ରେମୁଣା ବ୍ଲକରେ ସ୍ଥିତ କ୍ଷୀରଚୋରା ଗୋପୀନାଥ ମନ୍ଦିର ପରିଦର୍ଶନ କରି ଏହାର ଉନ୍ନତି ଓ ସୌନ୍ଦର୍ଯ୍ୟକରଣ ସମ୍ପର୍କରେ ୫-ଟି ସଚିବ ମନ୍ଦିର କମିଟି, ସ୍ଥାନୀୟ ଲୋକ ଓ ଅଧିକାରୀମାନଙ୍କ ସହ ଆଲୋଚନା କରିଥିଲେ । ଏଥିପାଇଁ ଜିଲ୍ଲାପାଳଙ୍କୁ ରିପୋର୍ଟ ପ୍ରସ୍ତୁତ କରି ପ୍ରଦାନ କରିବାକୁ ସେ ନିର୍ଦ୍ଦେଶ ଦେଇଥିଲେ ।