ସାଂସଦଙ୍କ ମଦ ସାମ୍ରାଜ୍ୟ ଗୁମର: ଜବତ ହେଲାଣି ୪୫୪.୫ କୋଟି
ବଲାଙ୍ଗୀର: ସାଂସଦଙ୍କ ମଦ ସାମ୍ରାଜ୍ୟ ଗୁମର ଖୋଲୁଛି । ଜବତ ହେଲାଣି ୪୫୪.୫ କୋଟି । ଝାଡ଼ଖଣ୍ଡ ସାଂସଦ ଧୀରଜ ସାହୁଙ୍କ ମଦ ଲିଙ୍କ୍ ନେଇ ସାରା ଦେଶରେ ଚର୍ଚା ହେଉଛି । ଆୟକର ବିଭାଗ ପକ୍ଷରୁ ୫ଦିନ ଧରି ଚଢ଼ଉ ଜାରି ରହିଥିବା ବେଳେ ପ୍ରତିଦିନ ନୂଆ ନୂଆ କଥା ପଦାକୁ ଆସୁଛି। ଆୟକର ବିଭାଗ ଓଡ଼ିଶା ଓ ଝାଡ଼ଖଣ୍ଡରୁ ଏପର୍ଯ୍ୟନ୍ତ ମୋଟ ୪୫୪ କୋଟି ୫୦ ଲକ୍ଷ ଟଙ୍କା ଜବତ କରିଛି। କେବଳ ଓଡ଼ିଶାରୁ ୪୪୮ କୋଟି ୫୦ ଲକ୍ଷ ଜବତ କରାଯାଇଛି। ଯାହାକି ଓଡ଼ିଶା ଆୟକର ଇତିହାସର ପ୍ରଥମ। ତେବେ କେବଳ ବଲାଙ୍ଗୀରରୁ ସର୍ବାଧିକ ୪୦୦ କୋଟି ଟଙ୍କା ଜବତ କରାଯାଇଥିବା ବେଳେ ସମ୍ବଲପୁରରୁ ୩୭.୫୦କୋଟି ଓ ଟିଟ୍ଲାଗଡ଼ରୁ ୧୧କୋଟି ଟଙ୍କା ଜବତ କରାଯାଇଛି। ବଲାଙ୍ଗୀରରୁ ୬୦ କିଲୋ ସୁନା ଜବତ ହୋଇଥିବାର ମଧ୍ୟ ଖବର ମିଳିଛି। ଓଡ଼ିଶା ଓ ଝାଡ଼ଖଣ୍ଡର ପାଖାପାଖି ୩୭ଟି ସ୍ଥାନରେ ଏକାକାଳୀନ ୩୭ଟି ଟିମ୍ ଚଢ଼ଉ କରି କୋଟି କୋଟି ଟଙ୍କା ଜବତ କରିଛନ୍ତି। ମଦ ବେପାରୀଙ୍କ ପ୍ରତିନିଧି, ଆୟକର ଅଧିକାରୀ ଓ ବ୍ୟାଙ୍କ କର୍ମକର୍ତ୍ତାଙ୍କ ଉପସ୍ଥିତିରେ ପ୍ରାରମ୍ଭିକ ପର୍ଯ୍ୟାୟରେ ଆସିଥିବା ୧୭୬ ବସ୍ତାରୁ ଗୋଟିଏ ପରେ ଗୋଟିଏ ବିଡ଼ା କଢ଼ାଯାଇ ଏଭଳି ଢଙ୍ଗରେ ଦିନତମାମ ଗଣତି କରାଯାଉଛି। ଏଯାଏ ୪୫୪.୫୦ କୋଟି ଟଙ୍କା ଗଣତି ହୋଇଥିବା ସୂଚନା ମିଳିଛି। ତେବେ ଟଙ୍କା କେଉଁଠୁ ଆସିଲା? କାହାର କାହାର ସମ୍ପୃକ୍ତି ରହିଛି? ଏପର୍ଯ୍ୟନ୍ତ ଏନେଇ କୌଣସି ଠୋସ୍ ତଥ୍ୟ ପାଇପାରିନାହିଁ ଆୟକର ବିଭାଗ। ଆୟକର ବିଭାଗ ପକ୍ଷରୁ କୁହାଯାଇଛି ଯେ ବଲାଙ୍ଗୀର ମଦଭାଟିରୁ ୧୭୬ଟି ବଡ଼ ବ୍ୟାଗ୍ରେ ଥିବା ଏହି ଟଙ୍କାକୁ ବଲାଙ୍ଗୀର ଷ୍ଟେଟବ୍ୟାଙ୍କର ମୁଖ୍ୟ ଶାଖାରେ ଗତ ୫ ଦିନ ଧରି ଗଣା ଯାଉଥିଲା। ବଲାଙ୍ଗୀର ଜିଲ୍ଲାର ବିଭିନ୍ନ ଶାଖାରୁ ୫୦ରୁ ଅଧିକ କର୍ମଚାରୀ ଏହି ଟଙ୍କା ଗଣା କାମରେ ନିୟୋଜିତ ଥିବା ବେଳେ ଏଥିରେ ୨୫ଟି ଟଙ୍କାଗଣା ମେସିନ ଓ ୩ଟି ଟଙ୍କା ବାଇଣ୍ଡିଂ ମେସିନ ବ୍ୟବହୃତ ହୋଇଥିଲା।