ଫୁଟବଲ ମ୍ୟାଚ୍ ବେଳେ ବଜ୍ରାଘାତରେ ତିନି ସାଙ୍ଗଙ୍କ ମୃତ୍ୟୁ, ୪ ଆହତ
ରାଉରକେଲା : ଜୀବନ କେତେବେଳେ ଯିବ କାହାକୁ ଜଣାନାହିଁ । ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଚି ସୁନ୍ଦରଗଡ଼ରେ । ଫୁଟବଲ୍ ମ୍ୟାଚ୍ବେଳେ ବର୍ଷା ସହ ଘଡ଼ଘଡ଼ି ମାରୁଥିଲା । ଗଛମୂଳେ ଏକାଠି ବସି ମୋବାଇଲ ଦେଖିବା ବେଳେ ବଜ୍ରାଘାତରେ ତିନି ଯୁବକଙ୍କ ମୃତ୍ୟୁ ହୋଇଛି। ସେମାନେ ହେଲେ ଲାଠିକଟା ବ୍ଲକ ଅନ୍ତର୍ଗତ କର୍ଲାଖମଣର ବିଶାଳ ବିଲୁଙ୍ଗ, ମନ୍କୋର ଶାନ୍ତିପ୍ରକାଶ ଲାକ୍ରା ଓ ବଣାଇ ବ୍ଲକ ଅନ୍ତର୍ଗତ ନରହାଟିର ସୁନୀତ ଓରାମ। ଏକକାଳୀନ ତିନି ଯୁବକଙ୍କ ମୃତ୍ୟୁକୁ ନେଇ ଡାକ୍ତରଖାନା ପରିସରରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିଲା। ବିଶ୍ବକର୍ମା ପୂଜାରେ ଛୁଟି ଥିବାରୁ ଲାଠିକଟା ବ୍ଲକ ଗର୍ଜନ ଅନ୍ତର୍ଗତ ତୁମରନ ବିରୁଆଲ ଖେଳପଡ଼ିଆରେ ତୁମରନ ଓ ବିରୁଆଲ ଦୁଇଟି ଗ୍ରାମର ଖେଳାଳୀଙ୍କ ମଧ୍ୟରେ ବନ୍ଧୁତ୍ବପୂର୍ଣ୍ଣ ଫୁଟବଲ ମ୍ୟାଚ୍ ଚାଲିଥିଲା। ରବିବାର ଓ ବିଶ୍ବକର୍ମା ପୂଜା ଛୁଟିଥିବାରୁ ଖେଳ ଦେଖିବାକୁ ସ୍ଥାନୀୟ ଅଞ୍ଚଳର ଶତାଧିକ ଦର୍ଶକଙ୍କ ଭିଡ଼ ଜମିଥିଲା। ବଣାଇର ସୁନୀତ, ଲାଠିକଟାର ବିଶାଳ, ମନ୍କୋର ଶାନ୍ତିପ୍ରକାଶ ମୋଟରବାଇକ୍ରେ ଖେଳ ପଡ଼ିଆରେ ପହଞ୍ଚି ଖେଳ ଦେଖୁଥିଲେ। ଅପରାହ୍ନ ପ୍ରାୟ ସାଢ଼େ ୪ଟାରେ ହଠାତ୍ ବିଜୁଳି, ଘଡଘଡି ସହ ମୂଷଳଧାରାରେ ବର୍ଷା ହୋଇଥିଲା। ଖେଳ ଦେଖୁଥିବା ସ୍ଥାନୀୟ ଅଞ୍ଚଳର ଦର୍ଶକ ଓ ମୃତକ ତିନି ଯୁବକ ଗଛତଳେ ଆଶ୍ରୟ ନେଇଥିଲେ। ମୃତ ତିନି ଯୁବକ ବର୍ଷାରେ ଗଛତଳେ ବସି ମୋବାଇଲ ଦେଖୁଥିବାବେଳେ ହଠାତ୍ ବଜ୍ରାଘାତ ହୋଇଥିଲା। ଘଟଣାସ୍ଥଳରେ ସୁନୀତ, ବିଶାଳ ଓ ଶାନ୍ତିପ୍ରକାଶଙ୍କର ମୃତ୍ୟୁ ହୋଇଯାଇଥିଲା। ସେମାନଙ୍କ ନିକଟରେ ଛିଡା ହୋଇଥିବା ଅନ୍ୟ ୪ ଆହତ ହୋଇଥିଲେ।