୧୯୬୨କୁ କଲ୍ କରନ୍ତୁ, ଅସୁସ୍ଥ ପ୍ରାଣୀଙ୍କୁ ଚିକିତ୍ସା କରନ୍ତୁ
ଭୁବନେଶ୍ବର: ଟୋଲ୍ ଫ୍ରି ନମ୍ବର ୧୯୬୨କୁ କଲ କରନ୍ତୁ, ଅସୁସ୍ଥ ବୁଲା ଓ ଅସହାୟ ପଶୁପକ୍ଷୀଙ୍କୁ ଉପଯୁକ୍ତ ଚିକିତ୍ସା ପ୍ରଦାନରେ ସହାୟକ ହୁଅନ୍ତୁ। ରାଜ୍ୟର ୧୧ଟି ସହରାଞ୍ଚଳରେ ପ୍ରାଣୀ ଆମ୍ବୁଲାନ୍ସ ଓ ଅନ୍ୟ ଅଞ୍ଚଳରେ ମୋବାଇଲ୍ ପ୍ରାଣୀ ଚିକିତ୍ସା ୟୁନିଟ୍ ମାଧ୍ୟମରେ ଏହି ସେବା ଯୋଗାଇ ଦିଆଯାଉଥିବା କହିଛନ୍ତି ମତ୍ସ୍ୟ ଓ ପ୍ରାଣୀସଂପଦ ବିକାଶ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ। କୃଷି ଭବନରେ ଆୟୋଜିତ ରାଜ୍ୟସ୍ତରୀୟ ଗୋଶାଳା ଓ ଆନିମଲ ହେଲପ୍ଲାଇନ୍ ସଂପର୍କିତ ବୈଠକରେ ଯୋଗଦେଇ ମନ୍ତ୍ରୀ କହିଛନ୍ତି, ରାଜ୍ୟରେ ୮୦ଟି ପଞ୍ଜୀକୃତ ଗୋଶାଳା ରହିଛି। ବୁଲାଗାଈଗୋରୁଙ୍କ ପାଇଁ ଆଶ୍ରୟସ୍ଥଳ ଓ ଗୋଶାଳା ସ୍ଥାପନ ନିମନ୍ତେ ରାଜ୍ୟ ସରକାର ଡିସେମ୍ବର ୨୦୨୨ରେ ଏକ ନୂତନ ଯୋଜନା ଆରମ୍ଭ କରିଛନ୍ତି। ଗୋଶାଳାଗୁଡ଼ିକୁ ଆର୍ଥିକ ସହାୟତା ପ୍ରଦାନ କରାଯାଇଛି।