ନୂଆଦିଲ୍ଲୀ: ସାମ୍ଭାବ୍ୟ ବାତ୍ୟା ଓଡ଼ିଶା ପାଇଁ ବିପଦ ଆଣିବ ନାହିଁ । ଏହାର ଗତିପଥ ଓଡ଼ିଶା ନଥିବା କୁହାଯାଉଛି ।  ଭାରତୀୟ ପାଣିପାଗ ବିଭାଗ ଡିଜି ମୃତ୍ୟୁଞ୍ଜୟ ମହାପାତ୍ର କହିଛନ୍ତି ସୃଷ୍ଟି ହୋଇଥିବା ଲଘୁଚାପ ଆସନ୍ତାକାଲି ଅବପାତର ରୂପ ନେବ । ୧୦ରେ ସାଇକ୍ଲୋନିକ ଷ୍ଟର୍ମରେ ପରିଣତ ହୋଇ ଭୀଷଣ ସାମୁଦ୍ରିକ ଝଡର ରୂପ ନେଇପାରେ । ୧୨ ତାରିଖ ପରେ ବାତ୍ୟା ଉପକୂଳ ଛୁଇଁପାରେ । ତେବେ ଏହା ଓଡ଼ିଶା ଉପକୂଳ ନଛୁଇଁ ପଶ୍ଚିମବଂଗ ଉପକୂଳ ଛୁଇଁବ ବୋଲି ସେ ପୂର୍ବାନୁମାନ କରିଛନ୍ତି । ସେ କହିଛନ୍ତି ଯେ, ୧୦ ତାରିଖ ସୁଦ୍ଧା ଏହା ବାତ୍ୟାରେ ପରିଣତ ହୋଇପାରେ । ୧୨ ତାରିଖରେ ବାତ୍ୟାର ଗତିପଥ ପରିବର୍ତ୍ତନ ହେବାର ସମ୍ଭାବନା ରହିଛି। ବାତ୍ୟା ଉତ୍ତର ଓ ଉତ୍ତର ପୂର୍ବ ଦିଗକୁ ଗତିପଥ ବଦଳାଇ ପାରେ। ବାତ୍ୟାର ଗତିପଥ ବଦଳି ବାଂଲାଦେଶ, ମିଆଁମାର ମୁହାଁ ହେବାର ସମ୍ଭାବନା ରହିଛି ବୋଲି ସେ କହିଛନ୍ତି । ତେଣୁ  ୧୨ ତାରିଖ ଯାଏଁ ସମୁଦ୍ର ମଧ୍ୟକୁ ନଯିବାକୁ ମତ୍ସ୍ୟଜୀବୀଙ୍କୁ କୁହାଯାଇଛି । ସେହିପରି ଆଣ୍ଡାମାନ ନିକୋବର ଟୁରିଷ୍ଟ ଅଞ୍ଚଳ ହୋଇଥିବାରୁ ପର୍ଯ୍ୟଟକଙ୍କୁ ମଧ୍ୟ ବାରଣ କରାଯାଇଛି । ଅନ୍ୟପଟେ ସମ୍ଭାବ୍ୟ ବାତ୍ୟା ନେଇ ବର୍ତ୍ତମାନ ସ୍ଥିତିରେ ଓଡ଼ିଶା ପାଇଁ କିଛି ୱାର୍ଣ୍ଣିଂ ନାହିଁ ବୋଲି ପ୍ରେସମିଟରେ ଆଇଏମଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ର ସୂଚନା ଦେଇଛନ୍ତି।