ସ୍ନାନ ବେଦୀରେ ଚତୁର୍ଦ୍ଧାମୂର୍ତ୍ତି

ଆଜି ପବିତ୍ର  ସ୍ନାନ ପୁର୍ଣ୍ଣିମା। ଭୋରୁ ଶ୍ରୀଜିଉମାନଙ୍କ ପହଣ୍ଡି ପରେ ସକାଳ ୭ଟା ସୁଦ୍ଧା ମହାପ୍ରଭୁ ବଳଭଦ୍ର ଓ ଦେବୀ ସୁଭଦ୍ରା ଓ ମହାପ୍ରଭୁ ଜଗନ୍ନାଥଙ୍କ ପହଣ୍ଡି ସରିଯାଇଛି। ଶ୍ରୀଜିଉମାନେ ସ୍ନାନ ବେଦୀରେ ଉପବିଷ୍ଟ ହୋଇ ସାରିଲେଣି। ଶ୍ରୀଜିଉମାଙ୍କୁ ଧାଡି ପହଣ୍ଡିରେ ଅଣାଯାଇଥିଲା। ନୀତିକାନ୍ତି ଅନୁସାରେ ମହାପ୍ରଭୁଙ୍କୁ ୧୦୮ ଗରା ସୁବାସିତ ଜଳରେ ସ୍ନାନ କରାଯିବ। ପ୍ରଥମେ ବଡ଼ ଠାକୁର ଶ୍ରୀବଳଭଦ୍ର ପହଣ୍ଡିରେ ଆସିଥିଲେ । ଏହାପରେ  ଟାହିଆ ଝୁଲାଇ ଝୁଲାଇ ଶ୍ରୀମନ୍ଦିରରୁ  ଗୋଟି ପହଣ୍ଡିରେ ବାହାରି ଆସିଥିଲେ ମହାପ୍ରଭୁ ଜଗନ୍ନାଥ ।  ଏହାପରେ ପହଣ୍ଡିରେ ଆସିଥିଲେ ଦେବୀ ସୁଭଦ୍ରା । ପରେ ପ୍ରଭୁ ମଦନମୋହନ ସ୍ନାନବେଦୀକୁ ବିଜେ କରିଥିଲେ । ମହାପ୍ରଭୁଙ୍କ ଏହି ଦିବ୍ୟ ସ୍ନାନଯାତ୍ରା ଦେଖିବାକୁ ଶ୍ରୀକ୍ଷେତ୍ରରେ ଲାଗିଛି ଭକ୍ତଙ୍କ ଗହଳି । ଲିଳା କରିବାକୁ ଶ୍ରୀଜିଉ ଶ୍ରୀମନ୍ଦିରରୁ ବାହାରି ଆସିଥିବା ବେଳେ ବଡ଼ଦାଣ୍ଡରେ ଲାଗିଛି ଲକ୍ଷ ଲକ୍ଷ ଭକ୍ତଙ୍କ ଭିଡ଼ । ଏପଟେ ଭକ୍ତ ଓ ଭଗବାନଙ୍କ ମିଳନ ଶ୍ରୀକ୍ଷେତ୍ରରେ ସୃଷ୍ଟି କରିଛି ଆଧ୍ୟାତ୍ମିକ ପରିବେଶ ।  ଢୋଲ, ମୃଦଙ୍ଗ, ଘଣ୍ଟ, ଝାଞ୍ଜ, ଖଞ୍ଜଣିରେ ପ୍ରକମ୍ପିତ ହେଉଛି ବଡ଼ଦାଣ୍ଡ । ନାଚଗୀତରେ ଉଛୁଳୁଛି ବଡ଼ଦାଣ୍ଡ ।