ସିକିମରେ ଓଡ଼ିଆ ଯବାନ ଶହୀଦ, ଶୋକପ୍ରକାଶ କଲେ ମୁଖ୍ୟମନ୍ତ୍ରୀ
ଢେଙ୍କାନାଳ: ସିକ୍କିମର ପ୍ରଳୟଙ୍କାରୀ ବନ୍ୟାରେ ଓଡ଼ିଆ ଯବାନ ସରୋଜ କୁମାର ଦାସ ସହିଦ । ଢେଙ୍କାନାଳ କାମାକ୍ଷାନଗର ଦିଘି ପଞ୍ଚାୟତର କେନ୍ଦୁଢିପବାସୀ ସରୋଜ ଦାସ ସହିଦ ହୋଇଯାଇଛନ୍ତି । ଏ ଖବର ପହଞ୍ଚିବା ପରେ ପରିବାର ସହ ପୂରା ଗାଁରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି । ପରିବାର ଲୋକେ ଭିଡିଓ କଲ୍ ମାଧ୍ୟମରେ ମୃତଦେହ ଚିହ୍ନଟ କରିଛନ୍ତି । ବନ୍ୟାରେ ମୋଟ୍ ନିଖୋଜ ହୋଇଥିବା ୨୩ ଜଣ ଯବାନଙ୍କ ମଧ୍ୟରେ ଥିଲେ ଓଡ଼ିଆ ଯବାନ ସରୋଜ କୁମାର ଦାସ । ସରୋଜଙ୍କ ଘର ଢେଙ୍କାନାଳ କାମାକ୍ଷାନଗର ଦିଘି ପଞ୍ଚାୟତର କେନ୍ଦୁଢିପ ଗାଁରେ । ଗତ ମଙ୍ଗଳବାର ରାତିରେ ଭାଇ ମନୋଜ ଫୋନ ଯୋଗେ ସରୋଜଙ୍କ ସହ କଥା ହୋଇଥିଲେ । ସିକ୍କିମରେ ପ୍ରବଳ ବର୍ଷା ହେଉଥିବା କହିଥିଲେ ସରୋଜ । ସେହି ସମୟରେ ସରୋଜ ଅନ୍ୟ ଯବାନଙ୍କ ସହ ଟ୍ରେନିଂ ସାରି ୟୁନିଟକୁ ଫେରୁଥିଲେ ବୋଲି ଭାଇଙ୍କୁ କହିଥିଲେ । ପରେ ପ୍ରଳୟଙ୍କରୀ ବନ୍ୟାରେ ସରୋଜଙ୍କ ସମେତ ୨୩ ଜଣ ଯବାନ ଭାସି ଯାଇଥିବା ଘରକୁ ଫୋନ ଆସିଥିଲା । ୭ ମାସ ତଳେ ବିବାହ କରିଥିଲେ ସରୋଜ । ସିକିମରେ ଓଡ଼ିଆ ଯବାନ ଶହୀଦ ହେବା ଖବର ଜାଣିବା ପରେ ଶୋକପ୍ରକାଶ କଲେ ମୁଖ୍ୟମନ୍ତ୍ରୀ । ମୁଖ୍ୟମନ୍ତ୍ରୀ କହିଛନ୍ତି ସିକିମରେ ବନ୍ୟା ଯୋଗୁଁ ଘଟିଥିବା ଅଘଟଣରେ ଓଡ଼ିଆ ଯବାନ ସରୋଜ କୁମାର ଦାସଙ୍କ ଶହୀଦ ଖବର ବିଷୟରେ ଜାଣି ମୁଁ ଦୁଃଖିତ। ଦେଶ ସେବାରେ ତାଙ୍କର ବଳିଦାନ ସର୍ବଦା ସ୍ମରଣୀୟ ରହିବ। ତାଙ୍କ ଅମର ଆତ୍ମାର ସଦଗତି କାମନା କରିବା ସହ ଶୋକସନ୍ତପ୍ତ ପରିବାର ସଦସ୍ୟଙ୍କ ପ୍ରତି ମୋର ସମବେଦନା ଜଣାଉଛି।