ଭୁବନେଶ୍ୱର: ଓଡ଼ିଶା ପାଇଁ ଗର୍ବ ଓ ଗୌରବର ବିଷୟ। ଚଳିତ ବର୍ଷ ନୂଆଦିଲ୍ଲୀର କର୍ତ୍ତବ୍ୟ ପଥରେ ଅନୁଷ୍ଠିତ ହେବାକୁ ଥିବା ଜାତୀୟ ସାଧାରଣତନ୍ତ୍ର ଦିବସ ପରେଡ୍ରେ ଓଡ଼ିଶାର ପ୍ରଜ୍ଞାପନ ମେଢ଼ ପ୍ରଦର୍ଶିତ ହେବ। କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରାଳୟ ପକ୍ଷରୁ ଏହି ପ୍ରସ୍ତାବିତ ମେଢ଼କୁ ସବୁଜ ସଙ୍କେତ ମିଳିଛି। ୧୭ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ମଧ୍ୟରେ ଓଡ଼ିଶା ନିଜର ସ୍ଥାନ ସୁରକ୍ଷିତ କରିପାରିଛି।
ଓଡ଼ିଶାର ସମୃଦ୍ଧ କଳାକୃତି, ପରମ୍ପରା ଏବଂ ଐତିହ୍ୟକୁ ଆଧାର କରି ଏହି ପ୍ରଜ୍ଞାପନ ମେଢ଼ର ଡିଜାଇନ୍ ପ୍ରସ୍ତୁତ କରାଯାଇଥିଲା। କେନ୍ଦ୍ରୀୟ ଚୟନ କମିଟି ଦ୍ୱାରା ଅନେକ ପର୍ଯ୍ୟାୟରେ ସ୍କ୍ରୁଟିନି ହେବା ପରେ ଓଡ଼ିଶାର ପ୍ରସ୍ତାବିତ ମେଢ଼କୁ ଚୂଡ଼ାନ୍ତ ମଞ୍ଜୁରୀ ପ୍ରଦାନ କରାଯାଇଛି। ଏହା ମାଧ୍ୟମରେ ବିଶ୍ୱ ଦରବାରରେ ଓଡ଼ିଆ ଅସ୍ମିତା ଓ ରାଜ୍ୟର ଗୌରବମୟ ସଂସ୍କୃତି ଉନ୍ମୋଚିତ ହେବ।
ପ୍ରଜ୍ଞାପନ ମେଢ଼ର ନିର୍ମାଣ କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ପାଇଁ ପ୍ରତିରକ୍ଷା ମନ୍ତ୍ରାଳୟ ପକ୍ଷରୁ ରାଜ୍ୟ ମୁଖ୍ୟ ସଚିବଙ୍କୁ ଚିଠି ଲେଖି ଜଣାଇ ଦିଆଯାଇଛି। ଆସନ୍ତା ଜାନୁଆରୀ ୧୯ ତାରିଖ ସୁଦ୍ଧା ମେଢ଼ର ସମସ୍ତ କାର୍ଯ୍ୟ ଶେଷ କରିବାକୁ ନିର୍ଦ୍ଦେଶ ଦିଆଯାଇଛି, ଯେପରି ଏହା ପୂର୍ବ ପ୍ରସ୍ତୁତି ରେ ସାମିଲ ହୋଇପାରିବ।