ସହରାଞ୍ଚଳ ବନ୍ୟା ପରିଚାଳନା ପାଇଁ ଆଇଆଇଟି ଦିଲ୍ଲୀ ଦେବ ବୈଷୟିକ ସହାୟତା
ରାଜ୍ୟରେ ବନ୍ୟା, ବାତ୍ୟା ଭଳି ପ୍ରାକୃତିକ ବିପର୍ଯ୍ୟୟ ଆଶଙ୍କା ରହିଛି। ସହରାଞ୍ଚଳରେ କୃତ୍ରିମ ବନ୍ୟା ଭଳି ସ୍ଥିତି ସୃଷ୍ଟି ହୋଇପାରେ। ଏହାର କିପରି ମୁକାବିଲା କରାଯିବ ସେନେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ବସିଥିବା ରାଜ୍ୟସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ କମିଟି ବୈଠକରେ ବହୁ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ପ୍ରବଳ ବର୍ଷା ଯୋଗୁଁ ସହରାଞ୍ଚଳରେ ବନ୍ୟା ପରିସ୍ଥିତି ସୃଷ୍ଟି ହେଉଥିବାରୁ ମୁଖ୍ୟମନ୍ତ୍ରୀ ଚିନ୍ତାପ୍ରକଟ କରିଛନ୍ତି। ପୌରାଞ୍ଚଳରେ ଥିବା ଡ୍ରେନ୍ଗୁଡ଼ିକର ପଙ୍କ ଉଦ୍ଧାର କାର୍ଯ୍ୟ ଏବଂ ଜଳ ନିଷ୍କାସନ ବ୍ୟବସ୍ଥା ତୁରନ୍ତ ଶେଷ କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ଏହାସହ କଟକ, ଭୁବନେଶ୍ବର ସମେତ ଅନ୍ୟ ସହରାଞ୍ଚଳରେ କିପରି ସହରାଞ୍ଚଳ ବନ୍ୟା ପରିଚାଳନା ଠିକ୍ ଭାବେ ହେବ ସେଥିପାଇଁ ଆଇଆଇଟି ଦିଲ୍ଲୀର ବୈଷୟିକ ସହାୟତାରେ ଏକ ଦୀର୍ଘସୂତ୍ରୀ କାର୍ଯ୍ୟକ୍ରମ ପ୍ରସ୍ତୁତ ହେବ। ଭୁବନେଶ୍ବରରେ ସହରାଞ୍ଚଳ ବନ୍ୟା ପରିଚାଳନା ନିମନ୍ତେ ବିଏମ୍ସି କର୍ତ୍ତୃପକ୍ଷ ୨୦୦କୋଟି ଟଙ୍କାର ପ୍ରସ୍ତାବ ଦେବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି।