କାଳବୈଶାଖୀ ପ୍ରଭାବରେ ସାରା ଓଡ଼ିଶାରେ ବର୍ଷା ଲାଗିରହିଛି। ଉପକୂଳଠାରୁ ଆଭ୍ୟନ୍ତରୀଣ ଓଡ଼ିଶା ପର୍ଯ୍ୟନ୍ତ, ସବୁଠି ବର୍ଷା ସହ କୋହଲା ପାଗ ଜାରି ରହିଥିବାରୁ ଗ୍ରୀଷ୍ମରେ ଉଭୟ ଶୀତ ଓ ବର୍ଷା ଅନୁଭୂତ ହେଉଛି। ବର୍ଷା ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ଦିନର ତାପମାତ୍ରା ଦୃଷ୍ଟାନ୍ତମୂଳକ ଭାବେ ତଳକୁ ଖସିଛି। ସର୍ବକାଳୀନ ରେକର୍ଡ ବିଭିନ୍ନ ସ୍ଥାନରେ ଭାଙ୍ଗିଛି। ପୁରୀ, ଭୁବନେଶ୍ବର, କଟକ, ଚାନ୍ଦବାଲି ଓ ବାରିପଦାର ତାପମାତ୍ରା ସର୍ବକାଳୀନ ରେକର୍ଡ କରିଛି। ରାଜଧାନୀ ଭୁବନେଶ୍ବରରେ ଆଜି ଦିନର ସର୍ବୋଚ୍ଚ ତାପମାତ୍ରା ସର୍ବକାଳୀନ ରେକର୍ଡ କରିଛି। ୧୯୫୨ ମସିହାଠାରୁ ଆଜି ମଧ୍ୟରେ ଅର୍ଥାତ୍ ଗତ ୭୧ ବର୍ଷ ମଧ୍ୟରେ କେବଳ ୧୯୭୦ ମସିହା ମାର୍ଚ୍ଚ ୬ରେ ଭୁବନେଶ୍ବରରେ ଦିନର ସବୁଠାରୁ କମ୍ ସର୍ବୋଚ୍ଚ ତାପମାତ୍ରା ୨୪.୩ ଡିଗ୍ରି ରହିଥିଲା। ତେବେ ଆଜି ଦିନରେ ସର୍ବୋଚ୍ଚ ତାପମାତ୍ରା ୧୯.୨ ଡିଗ୍ରି ରେକର୍ଡ ହୋଇଛି। କେବଳ ଭୁବନେଶ୍ବର ନୁହେଁ, ପୁରୀରେ ତ ୧୩୪ ବର୍ଷର ରେକର୍ଡ ଭାଙ୍ଗିଛି। ୧୮୮୯ ମାର୍ଚ୍ଚ ୧୨ରେ ପୁରୀରେ ସର୍ବୋଚ୍ଚ ତାପମାତ୍ରା ୨୪.୬ ଡିଗ୍ରି ରହିଥିଲା। ୧୩୪ ବର୍ଷ ପରେ ଆଜି ଦିନରେ ପୁରୀରେ ୨୦.୪ ଡିଗ୍ରି ତାପମାତ୍ରା ରେକର୍ଡ କରାଯାଇଛି। ସେହିପରି କଟକରେ ୧୨୧ ବର୍ଷର ରେକର୍ଡ ଭାଙ୍ଗି ଆଜି ଦିନର ତାପମାତ୍ରା ୨୦ ଡିଗ୍ରି ରେକର୍ଡ ହୋଇଛି। ୧୯୭୦ ମସିହା ମାର୍ଚ୍ଚ ୬ରେ କଟକରେ ସର୍ବୋଚ୍ଚ ତାପମାତ୍ରା ୨୩.୬ ଡିଗ୍ରି ଥିଲା। ଚାନ୍ଦବାଲିରେ ମଧ୍ୟ ୭୨ ବର୍ଷର ରେକର୍ଡ ଭାଙ୍ଗିଛି। ୧୯୫୧ରୁ ଆଜି ମଧ୍ୟରେ ୧୯୭୦ ମାର୍ଚ୍ଚ ୭ରେ ୨୨.୯ ଡିଗ୍ରି ରହିଥିବା ବେଳେ ଆଜି ୨୧ ଡିଗ୍ରି ରହିଥିଲା। ଅନୁରୂପ ଭାବେ ବାରିପଦାରେ ୨୦.୪ ଡିଗ୍ରି ରହିଥିଲା, ୧୯୫୫ରୁ ଆଜି ପର୍ଯ୍ୟନ୍ତ ଅର୍ଥାତ୍ ୬୮ ବର୍ଷ ମଧ୍ୟରେ ୧୯୭୦ ମାର୍ଚ୍ଚ ୫ରେ ଦିନର ସର୍ବୋଚ୍ଚ ତାପମାତ୍ରା ୨୨.୩ ଡିଗ୍ରି ରେକର୍ଡ କରାଯାଇଥିଲା।ଓଡ଼ିଶାର ପ୍ରାୟ ଅଞ୍ଚଳରେ ଦିନର ସର୍ବୋଚ୍ଚ ତାପମାତ୍ରା ସ୍ବାଭାବିକଠାରୁ ୧୦ରୁ ୧୭.୬ ଡିଗ୍ରି କମ୍ ରହିଥିଲା। ବାଲେଶ୍ବରରେ ସ୍ବାଭାବିକ ତୁଳନାରେ ୧୩.୬ ଡିଗ୍ରି କମ୍ ରହିଥିବା ବେଳେ ଚାନ୍ଦବାଲିରେ ୧୫, କଟକରେ ୧୬.୬, ପାରାଦୀପରେ ୧୦.୮, ଭୁବନେଶ୍ବରରେ ୧୭.୬, ଗୋପାଳପୁରରେ ୧୨.୫, ପୁରୀରେ ୧୧.୫, ଅନୁଗୁଳରେ ୧୫.୫, ବାରିପଦାରେ ୧୬.୩, କେନ୍ଦୁଝରରେ ୧୧.୮, ସୁନ୍ଦରଗଡ଼ରେ ୧୦.୮, ଫୁଲବାଣୀରେ ୧୩.୨, ଟିଟିଲାଗଡ଼ରେ ୧୦.୪ ଡିଗ୍ରି କମ୍ ରହିଥିଲା ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ବୈଜ୍ଞାନିକ ଉମାଶଙ୍କର ଦାସ କହିଛନ୍ତି। ପାଣିପାଗ କେନ୍ଦ୍ରର ତଥ୍ୟ ଅନୁଯାୟୀ ମଙ୍ଗଳବାର ସକାଳ ୮ଟା ୩୦ରୁ ବୁଧବାର ସକାଳ ୮ଟା ୩୦ ମଧ୍ୟରେ ୮ଟି ସ୍ଥାନରେ ପ୍ରବଳ ବର୍ଷା ରେକର୍ଡ ହୋଇଥିଲା। ଢେଙ୍କାନାଳ ଜିଲ୍ଲାର ଗଁଦିଆରେ ୭୨.୨ ମିମି ବର୍ଷା ହୋଇଥିବା ବେଳେ ଭୁବନରେ ୭୨, ଅନୁଗୁଳ ଜିଲ୍ଲାର ଅଠମଲ୍ଲିକରେ ୬୮, ତାଳଚେରରେ ୬୫, ବୌଦ୍ଧର କଣ୍ଟାମାଳରେ ୬୬.୨, କନ୍ଧମାଳର ଦାରିଙ୍ଗବାଡ଼ିରେ ୬୬, ବାଲିଗୁଡ଼ାରେ ୬୦, ବଲାଙ୍ଗୀରର ପାଟଣାଗଡ଼ରେ ୬୫.୨, ନୂଆପଡ଼ାର କୋମନାରେ ୬୫, କଟକର ନିଆଳିରେ ୬୪ ଓ ଖୋର୍ଦ୍ଧା ଜିଲ୍ଲା ଜଟଣୀରେ ୬୦ ମିମି ବର୍ଷା ହୋଇଛି। ରାଜ୍ୟରେ ହାରାହାରି ୨୫.୨ ମିମି ବର୍ଷା ହୋଇଛି। ଏହି ସମୟରେ ରାଜ୍ୟର ସ୍ବାଭାବିକ ବର୍ଷା ୦.୬ ମିମି ତୁଳନାରେ ୩,୮୯୬% ଅଧିକ ରହିଛି। ବୌଦ୍ଧରେ ୪୭.୮ ମିମି ବର୍ଷା ହୋଇଛି, ଯାହାକି ସ୍ବାଭାବିକ ତୁଳନାରେ ୪୭,୭୦୦% ଅଧିକ। ସୋନପୁରରେ ସ୍ବାଭାବିକ ତୁଳନାରେ ୩୯,୦୬୭% ଅଧିକ ବର୍ଷା ହୋଇଥିବା ବେଳେ ଅନୁଗୁଳରେ ୨୨,୨୬୧%, ନୂଆପଡ଼ାରେ ୨୧,୭୦୦%, ନବରଙ୍ଗପୁରରେ ୧୬,୫୪୫%, ଖୋର୍ଦ୍ଧାରେ ୧୪,୪୩୩%, ଦେବଗଡ଼ରେ ୧୧,୭୬୭% ଅଧିକ ବର୍ଷା ହୋଇଛି। ଏହା ଅସ୍ବାଭାବିକ ବର୍ଷା ବୋଲି କୁହାଯାଇପାରେ।ଗୁରୁବାର ପୂର୍ବାହ୍ନ ସୁଦ୍ଧା କଟକ, ଜଗତ୍ସିଂହପୁର, ଖୋର୍ଦ୍ଧା, ପୁରୀ, ନୟାଗଡ଼ ଓ ଗଞ୍ଜାମ ଜିଲ୍ଲାର କେତେକ ସ୍ଥାନରେ ଘଡ଼ଘଡ଼ି ବିଜୁଳି ସହ ପ୍ରବଳ ବର୍ଷା ହେବାକୁ ଥିବାରୁ ଅରେଞ୍ଜ ୱାର୍ଣ୍ଣିଂ ଏବଂ ମୟୂରଭଞ୍ଜ, ବାଲେଶ୍ବର, ଭଦ୍ରକ, କେନ୍ଦ୍ରାପଡ଼ା, ଯାଜପୁର, ଢେଙ୍କାନାଳ, କେନ୍ଦୁଝର, ଅନୁଗୁଳ, ବୌଦ୍ଧ, କନ୍ଧମାଳ, ରାୟଗଡ଼ା, ଗଜପତି, କୋରାପୁଟ, ମାଲକାନଗିରି ଜିଲ୍ଲାର କେତେକ ସ୍ଥାନରେ ଘଡ଼ଘଡ଼ି ସହ ବର୍ଷା ହେବାକୁ ଥିବାରୁ ୟେଲୋ ୱାର୍ଣ୍ଣିଂ ଦିଆଯାଇଛି। ଏହାପରେ ପାଗରେ ପରିବର୍ତ୍ତନ ଆସିବ। ଦିନର ସର୍ବୋଚ୍ଚ ତାପମାତ୍ରା ପୁଣିଥରେ ଉପରମୁହାଁ ହେବ। ୨୧ରୁ ୨୪ ତାରିଖ ମଧ୍ୟରେ ତାପମାତ୍ରା ଧୀରେ ଧୀରେ ବୃଦ୍ଧି ପାଇବ। ବର୍ଷା ପରିମାଣ କମିବ। ୨୨ ତାରିଖରୁ ପାଗ ମୁଖ୍ୟତଃ ଶୁଖିଲା ରହିବାକୁ ଥିବାରୁ ରାଜ୍ୟର ଅଧିକାଂଶ ସ୍ଥାନରେ ଦିନର ସର୍ବୋଚ୍ଚ ତାପମାତ୍ରା ୮ରୁ ୧୦ ଡିଗ୍ରି ମଧ୍ୟରେ ବୃଦ୍ଧି ପାଇବାର ସମ୍ଭାବନା ରହିଛି।
Trending
- ଭୟଙ୍କର ଅଗ୍ନିକାଣ୍ଡ, ଜଳିଗଲେ ମା ଓ ଦୁଇ ଝିଅ
- ନଗଣନା ପାଇଁ ବିଳମ୍ବ ହେବ ପଞ୍ଚାୟତ ଓ ପୌର ନିର୍ବାଚନ – ରାଜ୍ୟ ନିର୍ବାଚନ କମିଶନ ସଚିବ ସନ୍ତୋଷ ଦାସ
- ସଂସଦରେ ସୁରକ୍ଷା ବ୍ୟବସ୍ଥା ବୃଦ୍ଧି, ଜନ୍ତରମନ୍ତରରେ ପୁଲିସ-ସିଜେପି ବିକ୍ଷୋଭକାରୀ ମୁହାଁମୁହିଁ
- ଏଣିକି ରାଜ୍ୟରେ ଅଣ୍ଡର ଗ୍ରାଉଣ୍ଡ ବିଦ୍ୟୁତ୍ ଲାଇନ୍ ବିଛାଯିବ
- ସଂଶୋଧିତ ଇଂରାଜୀ ବନାନକୁ ସମସ୍ତ ସରକାରୀ କାର୍ଯ୍ୟରେ କାର୍ଯ୍ୟକାରୀ କରିବାକୁ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ସମସ୍ତ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ
- ପୋଲିସ ମୁଖ୍ୟାଳୟରେ ଜୀବନ ହାରିଲେ ଡିଜିପି,ନିଜ ସର୍ଭିସ ପିସ୍ତଲରେ ନିଜକୁ କଲେ ଗୁଳି
- ଆଜି ଶ୍ରାବଣ ମାସର ପ୍ରଥମ ସୋମବାର,ମହାଦେବଙ୍କୁ ଜଳାଭିଷେକ କରିବା ପାଇଁ ସକାଳୁ ସକାଳୁ ରାଜ୍ୟର ପ୍ରମୁଖ ଶୈବ ପୀଠରେ ଶ୍ରଦ୍ଧାଳୁଙ୍କ ଭିଡ଼
- ଆଜିଠାରୁ ସଂସଦର ମୌସୁମୀ ଅଧିବେଶନ
- ମହାପ୍ରଭୁଙ୍କ ଦୁର୍ଲଭ ଆଡ଼ପ ଦର୍ଶନ କରୁଛନ୍ତି ଭକ୍ତ, ପ୍ରବଳ ଖରା ଓ ଗୁଳୁଗୁଳି ଯୋଗୁଁ ମହିଳା ଶ୍ରଦ୍ଧାଳୁ ଅସୁସ୍ଥ
- ରାଜ୍ୟରେ କୌଣସି ନଦୀରେ ନାହିଁ ବନ୍ୟା ସ୍ଥିତି,ମୁଣ୍ଡଳୀରେ ଅଢେଇ ଲକ୍ଷ କ୍ୟୁସେକ୍ ପାଣି ଆସିବ , ଯାହା ବିପଦ ନୁହେଁ – ସର୍ବୋଚ୍ଚ ଯନ୍ତ୍ରୀ ଦିଲ୍ଲୀପ ରାଉତ
Prev Post
Next Post