ଶୁଭଲକ୍ଷ୍ମୀ ମୃତ୍ୟୁ ମାମଲାରେ ଆସିଲା ସିଡିଆର ରିପୋର୍ଟ

ଶୁଭଲକ୍ଷ୍ମୀ ମୃତ୍ୟୁ ମାମଲାରେ ପୋଲିସ ନିକଟକୁ ଆସିଲା ଶୁଭଲକ୍ଷ୍ମୀଙ୍କ କଲ ଡିଟେଲ୍ସ ରିପୋର୍ଟ । କଲ ଡିଟେଲ ରିପୋର୍ଟରୁ ପୋଲିସକୁ ମିଳିଛି ଗୁରୁତ୍ୱପୂର୍ଣ୍ଣ ତଥ୍ୟ । ମୃତ୍ୟୁ ପୂର୍ବରୁ କାହା ସାଙ୍ଗେ କଥା ହୋଇଥିଲେ ସେ ବିଷୟରେ ଜାଣିବା ପାଇଁ ମଗା ଯାଇଥିଲା ସିଡିଆର ରପୋର୍ଟ । କଲେଜ ଛାତ୍ରୀ ଶୁଭଲକ୍ଷ୍ମୀ ସାହୁଙ୍କ ମୃତ୍ୟୁକୁ ୫ ଦିନ ବିତିଲାଣି। ହେଲେ ଏହା ହତ୍ୟା ନା ଆତ୍ମହତ୍ୟା, ଜାଣିପାରୁନି ଭୁବନେଶ୍ୱର କମିଶନରେଟ୍‌ ପୁଲିସ୍‌।  ଗତ ୨ ମାସର ଫୋନ୍‌ କଲ୍ ରେକର୍ଡ ପାଇଛି ପୁଲିସ୍‌। ଶେଷ କଲ୍ କାହାର? କାହାଠାରୁ ବେଶୀ କଲ୍‌ ଆସିଥିଲା, ତାହାର ତର୍ଜମା କରୁଛି। ସେପଟେ ମୃତ୍ୟୁର ୫ ଦିନ ପରେ ମୁହଁ ଖୋଲିଛନ୍ତି ତାଙ୍କ ସମ୍ପର୍କୀୟ ମାମୁ। ଭୁବନେଶ୍ୱରରେ ତାଙ୍କ ଘରେ ରହି ପାଠ ପଢ଼ୁଥିଲେ ଶୁଭଲକ୍ଷ୍ମୀ। ଦୁଇ ବର୍ଷ ଧରି ଘରେ ଝିଅ ଭଳି ରହୁଥିଲା। ପାଠ ପଢ଼ାରୁ ସମୟ ପାଇଲେ ମଡେଲିଂ କରୁଥିଲେ। କିଛି ମାସ ହେବ ସେ ତାଙ୍କ ପୁରୁଷ ବନ୍ଧୁଙ୍କ ସମ୍ପର୍କରେ ଆସିଥିଲେ। ଆଉ ବାରରେ କାମ କରୁଥିଲେ। ଏକଥା ଜଣାପଡ଼ିବା ପରେ ଦୁଇ ମାସ ତଳେ ପରିବାର ଲୋକଙ୍କୁ ଜଣାଇଥିଲେ  । ସେଥିପାଇଁ ସେ ତାଙ୍କୁ ଗାଁକୁ ପଠାଇ ଦେଇଥିଲେ। ତେବେ କାହିଁକି ଆତ୍ମହତ୍ୟା କଲେ ସେ ନେଇ କୌଣସି ଉତ୍ତର ରଖିନାହାନ୍ତି ଶୁଭଲକ୍ଷ୍ମୀଙ୍କ ସମ୍ପର୍କୀୟ ମାମୁ।  ପୋଲିସର ହସ୍ତଗତ ହୋଇଥିବା ପୋଷ୍ଟମର୍ଟମ ରିପୋର୍ଟରୁ ଏହା ଆତ୍ମହତ୍ୟା ଜନିତ ମୃତ୍ୟୁ ବୋଲି ଜଣାପଡ଼ିବା ପରେ ଭିସରା ରିପୋର୍ଟ ଅପେକ୍ଷା କରାଯାଇଛି ।