ଶରଧାବାଲି ଅଭିମୁଖେ ପୁଣି ଗଡ଼ିଲେ ତିନି ରଥ

ଆଜି ସକାଳ ସାଢେ ୯ ଟାରୁ ପୁଣି  ରଥଟଣା ଆରମ୍ଭ ହୋଇଛି। ଗତକାଲି ବଡ଼ ଦାଣ୍ଡରେ ନନ୍ଦିଘୋଷ ରଥ ଟଣା ହୋଇପାରିନଥିଲା ।  ସଂଧ୍ୟା ୭ଟା ୪୧ରେ ରଥଟଣା କିଛି ବାଟ ହୋଇ ବନ୍ଦ ହୋଇଥିଲା। ବଳଗଣ୍ଡି ଛକରେ ଅଟକିଥିଲା ବଳଭଦ୍ରଙ୍କ ରଥ। ମରିଚିକୋଟ ଛକରେ ଅଟକିଥିଲା ମା ସୁଭଦ୍ରାଙ୍କ ରଥ। ସିଂହଦ୍ଵାର ସାମ୍ନାରେ କିଛି ବାଟ ଯାଇ ଅଟକିଥିଲା ନନ୍ଦିଘୋଷ ରଥ।

ଗତକାଲି ବଳଭଦ୍ରଙ୍କ ରଥଟଣା ବିଳମ୍ବ ଯୋଗୁଁ ବଡ଼ଦାଣ୍ଡରେ ଅଟକିଯାଇଥିଲେ ମହାପ୍ରଭୁ। ଯାହାକୁ ନେଇ ଶ୍ରଦ୍ଧାଳୁ, ଜଗନ୍ନାଥପ୍ରେମୀ, ଭକ୍ତଙ୍କ ମନରେ ଗଭୀର କ୍ଷୋଭ ସୃଷ୍ଟି ହୋଇଥିଲା। ଗତକାଲି ଅପରାହ୍ନ ୪ଟା ୫ରେ ରଥଟଣା ଆରମ୍ଭରୁହିଁ ବିଗିଡିଥିଲା ରଥଟଣା ଶୃଙ୍ଖଳା। ବଳଭଦ୍ରଙ୍କ ରଥ ମୋଡ଼ ଖାଇବାରୁ ରଥଟଣା ବିଳମ୍ବ ହୋଇଚାଲିଥିଲା। ବଳଭଦ୍ରଙ୍କ ରଥଟଣା ବିଳମ୍ବ ହେବାରୁ ପଛକୁ ପଛ ସୁଭଦ୍ରାଙ୍କ ରଥଟଣା ମଧ୍ୟ ବିଳମ୍ବ ହୋଇଥିଲା।

ବିଧିରକ୍ଷା ପାଇଁ ନନ୍ଦିଘୋଷକୁ ଅଳ୍ପ ବାଟ ହିଁ ଟଣା ଯାଇଥିଲା। ଏହାକୁ ନେଇ ଭକ୍ତଙ୍କ ମଧ୍ୟରେ ସୃଷ୍ଟି ହୋଇଥିଲା ତୀବ୍ର ଅସନ୍ତୋଷ।ମହାପ୍ରଭୁଙ୍କ ବିଶ୍ବ ପ୍ରସିଦ୍ଧ ରଥଯାତ୍ରା-୨୦୨୫ ପାଇଁ ଶ୍ରୀକ୍ଷେତ୍ର ଲୋକାରଣ୍ୟ ହୋଇଛି। ବଡ଼ଦାଣ୍ଡରେ ଭକ୍ତମାନଙ୍କର ଗହଳି ଲାଗିଛି। ପବିତ୍ର ରଥଯାତ୍ରା ଅବସରରେ ପୁରୀ ସହରକୁ ଲକ୍ଷଲକ୍ଷ ଭକ୍ତମାନଙ୍କର ଆଗମନ ହୋଇଛି। ଶ୍ରୀକ୍ଷେତ୍ରକୁ ବାହାରୁ ୧୦ଲକ୍ଷରୁ ଊର୍ଦ୍ଧ୍ବ ଭକ୍ତ ପହଞ୍ଚିବା ଆଶା କରାଯାଉଛି। ରାଜ୍ୟର ଚାରିଆଡୁ ଶ୍ରଦ୍ଧାଳୁ ପୁରୀ ମୁହାଁ ହୋଇଛନ୍ତି। ରଥାରୁଢ଼ କାଳିଆ ସାଆନ୍ତଙ୍କ ଦର୍ଶନ ପାଇଁ ଦେଶ-ବିଦେଶରୁ ଭକ୍ତ ଆସି ପୁରୀ ପହଞ୍ଚିଛନ୍ତି।

Leave a comment