ଲୋକଙ୍କୁ ଉତ୍ତମ ଚିକିତ୍ସା ଓ ସେବା ଯୋଗାଇବା ସରକାରଙ୍କ ଲକ୍ଷ୍ୟ: ମୁଖ୍ୟମନ୍ତ୍ରୀ
ରାଜ୍ୟର ସ୍ୱାସ୍ଥ୍ୟ ଶିକ୍ଷା ଓ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଆଜି ଏକ ନୂଆ ଫର୍ଦ୍ଦ ଯୋଡ଼ି ହୋଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟର ବିଭିନ୍ନ ସରକାରୀ ମେଡିକାଲ କଲେଜ ଗୁଡ଼ିକରେ ଟିଚିଂ ହସ୍ପିଟାଲର ଉଦ୍ଘାଟନ କରିବା ସହିତ ୪ଟି ମେଡିକାଲ କଲେଜର ସ୍ୱାସ୍ଥ୍ୟ ଭିତ୍ତିଭୂମିକୁ ବିଶ୍ୱସ୍ତରୀୟ କରିବା ପାଇଁ ଭିତ୍ତି ରଖିଛନ୍ତି। ଉଦ୍ଘାଟିତ ହୋଇଥିବା ଟିଚିଂ ହସ୍ପିଟାଲ ହେଉଛି ବଲାଙ୍ଗୀରରେ ୬୫୦ ଶଯ୍ୟା ବିଶିଷ୍ଟ ଭୀମଭୋଇ ମେଡିକାଲ କଲେଜ ଓ ହସ୍ପିଟାଲ, ବାରିପଦାରେ ୬୫୦ ଶଯ୍ୟା ବିଶିଷ୍ଟ ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ କଲେଜ ଓ ହସ୍ପିଟାଲ, ସୁନ୍ଦରଗଡ଼ରେ ୫୦୦ ଶଯ୍ୟା ବିଶିଷ୍ଟ ସରକାରୀ ମେଡିକାଲ କଲେଜ ଓ ହସ୍ପିଟାଲ, କେନ୍ଦୁଝରରେ ୫୦୦ ଶଯ୍ୟା ବିଶିଷ୍ଟ ଧରଣୀଧର ମେଡିକାଲ କଲେଜ ଓ ହସ୍ପିଟାଲ ଓ ବାଲେଶ୍ୱରରେ ୬୫୦ ଶଯ୍ୟା ବିଶିଷ୍ଟ ଫକୀର ମୋହନ ମେଡିକାଲ କଲେଜ ଓ ହସ୍ପିଟାଲ। ଏହାସହ କଟକ ଆଚାର୍ଯ୍ୟ ହରିହର ସ୍ନାତକୋତ୍ତର କ୍ୟାନସର ଗବେଷଣା ପ୍ରତିଷ୍ଠାନ, ବ୍ରହ୍ମପୁରରେ ଏମ୍କେସିଜି ମେଡିକାଲ କଲେଜ ଓ ହସ୍ପିଟାଲ, ରାଉରକେଲା ସରକାରୀ ହସ୍ପିଟାଲ ଓ ବୁର୍ଲାସ୍ଥିତ ବୀର ସୁରେନ୍ଦ୍ର ସାଏ ମେଡିକାଲ ଓ ଗବେଷଣା ପ୍ରତିଷ୍ଠାନକୁ ବିଶ୍ୱସ୍ତରୀୟ ଭିତ୍ତିଭୂମି ଯୋଗାଇଦେବା ପାଇଁ ଭିତ୍ତିପ୍ରସ୍ତର ରଖାଯାଇଛି। ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଓଡ଼ିଶାର ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଆଜିର ଦିନ ମାଇଲଖୁଣ୍ଟ ହୋଇରହିବ। ଗୋଟିଏ ଦିନରେ ୫ଟି ମେଡିକାଲ କଲେଜ ହସ୍ପିଟାଲରେ ୨,୯୫୦ ଶଯ୍ୟା ଯୋଡ଼ି ହୋଇଛି। ଏଥିପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ୨ ହଜାର କୋଟିରୁ ଅଧିକ ଟଙ୍କା ଖର୍ଚ୍ଚ କରାଯାଇଛି।