ରାଜ୍ୟରେ ଶହୀଦ ଦିବସ ପାଳିତ
ମେଟ୍ରୋ ଟିଭି ଓଡିଶା,୩୦/୧ : ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଆନୁକୂଲ୍ୟରେ ଓଡ଼ିଶା ରାଜ୍ୟ ସଂଗ୍ରହାଳୟଠାରେ ଆଜି ଶହୀଦ ଦିବସ ଏବଂ ମହାତ୍ମା ଗାନ୍ଧୀଙ୍କ ଓଡ଼ିଶା ଆଗମନର ଏକଶହ ବର୍ଷ ପୂର୍ତ୍ତି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଅତିରିକ୍ତ ମୁଖ୍ୟ ଶାସନ ସଚିବ ମଧୁସୂଦନ ପାଢ଼ୀ ଏହି କାର୍ୟ୍ୟକ୍ରମକୁ ଉଦ୍ଘାଟନ କରିବା ସହ ଭର୍ଚୁଆଲ୍ ମାଧ୍ୟମରେ ଯୋଗଦେଇଥିବା ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କୁ ଉଦ୍ବୋଧନ ଦେଇଥିଲେ । ବିଭାଗୀୟ ନିର୍ଦ୍ଦେଶକ ରଂଜନ କୁମାର ଦାସ ମୁଖ୍ୟ ଅତିଥି ଭାବେ ଯୋଗଦାନ କରିଥିବାବେଳେ ସମ୍ମାନିତ ବକ୍ତା ଭାବେ ଡ. ପ୍ରୀତିଶ ଆଚାର୍ଯ୍ୟ, ଡ. ନିହାର ରଂଜନ ପଟ୍ଟନାୟକ, ଡ. ଦାଶ ବେନ୍ହୁର, ଡ. ପ୍ରହ୍ଲାଦ ସିହ୍ନା ଯୋଗଦାନ କରି ଶହୀଦ ଦିବସର ତାତ୍ପର୍ଯ୍ୟ ଏବଂ ମହାତ୍ମା ଗାନ୍ଧୀଙ୍କ ଓଡ଼ିଶା ଆଗମନ ସଂପର୍କିତ ତଥ୍ୟ ଓ ବକ୍ତବ୍ୟ ଉପସ୍ଥାପନ କରିଥିଲେ । ଏହି ଅବସରରେ ଓଡ଼ିଶା ରାଜ୍ୟ ସଂଗ୍ରହାଳୟଠାରେ ଗାନ୍ଧୀ ଗ୍ୟାଲେରୀର ଉଦ୍ଘାଟନ ସହ ଓଡ଼ିଶା ଲଳିତ କଳା ଏକାଡେମୀ ଦ୍ୱାରା ଗାନ୍ଧିଜୀଙ୍କ ସଂପର୍କିତ ଚିତ୍ରକଳା ପ୍ରଦର୍ଶନୀର ଆୟୋଜନ କରାଯାଇଛି । ଏଥି ସହ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ପାଢ଼ୀଙ୍କ ଦ୍ୱାରା ଓଡ଼ିଶା ରାଜ୍ୟ ସଂଗ୍ରହାଳୟ ଦ୍ୱାରା ପ୍ରସ୍ତୁତ ଗାନ୍ଧୀଭିତ୍ତିକ କଫି ଟେବୁଲ ପୁସ୍ତକ ଓ ଓଡ଼ିଶା ସାହିତ୍ୟ ଏକାଡେମୀ ଦ୍ୱାରା ସ୍ୱତନ୍ତ୍ର ଗାନ୍ଧୀ ବିଶେଷାଙ୍କ କୋଣାର୍କ ପତ୍ରିକା ମଧ୍ୟ ଉନ୍ମୋଚିତ ହୋଇଥିଲା। ଓଡ଼ିଶା ସାହିତ୍ୟ ଏକାଡେମୀର ସଚିବ ପ୍ରବୋଧ କୁମାର ରାଉତ କୋଣାର୍କ ପତ୍ରିାକା ସଂପର୍କିତ ସଂକ୍ଷିପ୍ତ ସୂଚନା ପ୍ରଦାନ କରିଥିଲେ ଏବଂ ଓଡ଼ିଶା ଲଳିତ କଳା ଏକାଡେମୀର ସଚିବ ପଞ୍ଚାନନ ସାମଲ ଗାନ୍ଧୀ ଚିତ୍ରକଳା ପ୍ରଦର୍ଶନୀ ସଂପର୍କରେ ସୂଚନା ପ୍ରଦାନ କରିଥିଲେ । ଏଥି ସହିତ ଗାନ୍ଧିଜୀଙ୍କ ଜୀବନୀ ଆଧାରିତ ‘ଷ୍ଟୋରି ଟେଲିଂ ସିଡି’ ଉନ୍ମୋଚନ କରାଯାଇଥିଲା ।ପ୍ରାରମ୍ଭରେ ସଂଗ୍ରହାଳୟର ଉଦ୍ୟାନ ପରିସରରେ ଏକ ନୀରବ ପ୍ରାର୍ଥନା ସହିତ ସଂଗୀତ ଶିଳ୍ପୀ ଅନିନ୍ଦିତା ଦାସଙ୍କ ନିର୍ଦ୍ଦେଶନାରେ ସଦ୍ଭାବନା ପ୍ରାର୍ଥନା ସଭା ଆୟୋଜିତ ହୋଇଥିଲା । ସଂଗ୍ରହାଳୟର ଅଧୀକ୍ଷକ ଡ. ଭାଗ୍ୟଲିପି ମଲ୍ଲଙ୍କ ତତ୍ତ୍ୱାବଧାନରେ ଆୟୋଜିତ ଏହି କାର୍ଯ୍ୟକ୍ରମକୁ ମଧୁମିତା ମହାନ୍ତି ସଂଯୋଜନା କରିଥିଲେ ।
ଅହିଂସାର ପ୍ରତୀକ ମହାତ୍ମା ଗାନ୍ଧୀଙ୍କ ପୂଣ୍ୟତିଥିରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି । ଲୋକଙ୍କ କଲ୍ୟାଣ ସହ ସୁସ୍ଥ ସମାଜ ଗଠନ ଏବଂ ବିଶ୍ୱରେ ଶାନ୍ତି ପ୍ରତିଷ୍ଠା ଦିଗରେ ବାପୁଙ୍କ ପ୍ରଦର୍ଶିତ ସତ୍ୟ ଓ ଅହିଂସାର ମାର୍ଗ ସର୍ବଦା ପ୍ରେରଣାର ଉତ୍ସ ହୋଇ ରହିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି