ରାଜଧାନୀରେ ଡେଙ୍ଗୁ ସ୍ଥିତି ସଙ୍ଗୀନ: ୮ ଦିନରେ ୬୦୦ ଆକ୍ରାନ୍ତ

ଭୁବନେଶ୍ୱର: ରାଜଧାନୀରେ ଡରାଉଛି  ଡେଙ୍ଗୁ  । ପରିସ୍ଥିତି ସଙ୍ଗୀନ ହେଲାଣି। ଗତ ୮ ଦିନରେ ୬ଶହ ଆକ୍ରାନ୍ତ ଚିହ୍ନଟ ହୋଇଥିବା ଜଣାପଡିଛି। ଡେଙ୍ଗୁ ମୁକାବିଲା ପାଇଁ ବିଏମ୍‌ସି ଯାହା ଯାହା ପ୍ରସ୍ତୁତି କରିଥିଲା ତାହା ସବୁ ଫେଲ୍‌ ମାରିଲାଣି। ଖାଲି ପ୍ରଚାର ପ୍ରସାର ପାଇଁ ଫଟୋ ଉଠାରେ ଏହି ଡେଙ୍ଗୁ ମୁକାବିଲା ଅଭିଯାନେ ସୀମିତ ରହିଛି। ଫଳରେ ଏହାର କୁପରିଣାମ ରାଜଧାନୀବାସୀ ଭୋଗୁଛନ୍ତି। ଘରେ ଘରେ ଡେଙ୍ଗୁ ଆକ୍ରାନ୍ତ ଚିହ୍ନଟ ହେଲେଣି। ସ୍ଥିତି ସଙ୍ଗୀନ୍‌ ହେବା ପରେ ଆଜି କମିସନର ବିଜୟ ଅମୃତା କୁଲାଙ୍ଗେ ସ୍ଥିତି ସମୀକ୍ଷା କରିଛନ୍ତି। ରାଜ୍ୟରେ ଗୋଟାଏ ପରେ ଗୋଟାଏ ଡେଙ୍ଗୁ ମାମଲା ଚିହ୍ନଟ ହେଉଥିବା ବେଳେ ଏ ନେଇ ନିଜର ବୟାନ ଦେଇଛନ୍ତି ଜନସ୍ୱାସ୍ଥ୍ୟ ନିର୍ଦେଶକ ଡାକ୍ତର ନିରଞ୍ଜନ ମିଶ୍ର। କେବଳ ‌‌ସେତିିକି ନୁହେଁ,ଏବେ ରାଜ୍ୟରେ ସ୍କ୍ରବ ଟାଇଫସ୍ ସଂକ୍ରମଣ ବି ବଢ଼ୁଛି। ସେଥିପାଇଁ ସେ ରାଜ୍ୟବାସୀଙ୍କୁ ସାବଧାନ ରହିବାକୁ ପରାମର୍ଶ ଦେଇଛନ୍ତି। ଭୁବନେଶ୍ୱରରେ ଦୈନିକ ୮୦ରୁ  ୧୦୦ ମାମଲା ଆସୁଛି। ସାରା ରାଜ୍ୟରେ ଦୈନିକ ୨୦୦ ମାମଲା ଦେଖାଦେଉଛି। ଗତ୧୦ ତାରିଖ ରିପୋର୍ଟ ଅନୁସାରେ, ସାରା ରାଜ୍ୟରେ ୬୮୬୧୦ଟି ନମୁନା ପରୀକ୍ଷା ହୋଇଛି।  ଏଥିରୁ ୫୦୯୭ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଛନ୍ତି। ଖୋର୍ଦ୍ଧା ଜିଲ୍ଲାରେ ସର୍ବାଧିକ ୨୧୩୩ ରୋଗୀ ଚିହ୍ନଟ ହୋଇଛନ୍ତି। ଏହା ଏକ ଭାଇରାଲ୍‌ ରୋଗ। ମଣିଷରୁ ମଣିଷକୁ ସଂକ୍ରମିତ ହୁଏନି। ଡେଙ୍ଗୁ ରୋଗୀକୁ ମଶା କାମୁଡି ଆଉ ଜଣେ ମଣିଷକୁ କାମୁଡିଲେ ଡେଙ୍ଗୁ ହୁଏ।