ମିଶନ ଶକ୍ତି ସ୍କୁଟର ଯୋଜନାର ଶୁଭାରମ୍ଭ
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମିଶନ ଶକ୍ତି ସ୍କୁଟର ଯୋଜନାର ଶୁଭାରମ୍ଭ କରିଛନ୍ତି। ଏହି ଯୋଜନାରେ ୨ ଲକ୍ଷରୁ ଅଧିକ ସ୍ବୟଂସହାୟକ ଗୋଷ୍ଠୀର ସଦସ୍ୟାମାନେ ସ୍କୁଟର ପାଇବେ। ଯୋଜନାର ଶୁଭାରମ୍ଭ ଅବସରରେ ୧୫ ହଜାର ସଦସ୍ୟାଙ୍କୁ ସ୍କୁଟର ଦିଆଯାଇଛି।ଲୋକସେବା ଭବନ କନ୍ଭେନଶନ ସେଣ୍ଟରରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଯୋଗଦେଇ ମୁଖ୍ୟମନ୍ତ୍ରୀ ଉପସ୍ଥିତ ସ୍ବୟଂସହାୟକ ଗୋଷ୍ଠୀର ସଦସ୍ୟାମାନଙ୍କୁ କହିଛନ୍ତି ଯେ, ମହିଳା ସଶକ୍ତୀକରଣ କ୍ଷେତ୍ରରେ ଆଜି ଦିନଟି ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ହୋଇରହିବ। ମହିଳା ସଶକ୍ତୀକରଣ କ୍ଷେତ୍ରରେ ଆମେ ଆଉ ଏକ ପାଦ ଆଗକୁ ଆସିଛୁ। ମିଶନ ଶକ୍ତି ମା’ମାନଙ୍କୁ ସ୍କୁଟର କିଣିବା ପାଇଁ ୧ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ଯୋଗାଇ ଦେଉଛୁ। ସେମାନଙ୍କର ଏହି ଋଣ ବାବଦକୁ ରାଜ୍ୟ ସରକାର ୫୨୮ କୋଟି ଟଙ୍କାର ସୁଧ ଦେବେ।