ଧାନ କିଣା ହ୍ରାସ ପାଇଁ କେନ୍ଦ୍ରର ନିଷ୍ପତ୍ତିକୁ ପ୍ରତିବାଦ

ଭୁବନେଶ୍ବର: ଧାନ କିଣା ପ୍ରସଙ୍ଗକୁ ନେଇ କେନ୍ଦ୍ର ବିରୋଧରେ ରାସ୍ତାକୁ ଓହ୍ଲାଇଛି ବିଜେଡି।  ଦଳ ପକ୍ଷରୁ ଏକ ବିକ୍ଷୋଭ ସମାବେଶ ରାଜଭବନ ସମ୍ମୁଖରେ ଆୟୋଜନ କରାଯାଇଥିଲା। ବିକ୍ଷୋଭ ସମାବେଶରେ ବିଜେଡି ନେତାମାନେ ଅଭିଯୋଗ କରିଥିଲେ ଯେ କେନ୍ଦ୍ର ସରକାର ବଜେଟ୍‌ର କ୍ରୟ ପାଣ୍ଠିରେ ୨୦,୦୦୦ କୋଟି ଟଙ୍କା ହ୍ରାସ କରିଛନ୍ତି। ଓଡ଼ିଶାରୁ ଉଷୁନା ଚାଉଳ ଉଠାଣ ପରିମାଣ କମାଇଦେବା ଫଳରେ ଲକ୍ଷ ଲକ୍ଷ ଚାଷୀଙ୍କ ଧାନ ବିକ୍ରି ପ୍ରଭାବିତ ହେବ। ପଶ୍ଚିମ ଓଡିଶାର ଚାଷୀମାନେ ଏହା ଦ୍ୱାରା ସାଂଘାତିକ ଭାବେ କ୍ଷତିଗ୍ରସ୍ତ ହେବେ। ପୂର୍ବରୁ ଓଡିଶାରୁ ୧୮ ଲକ୍ଷ ମେଟ୍ରିକ୍ ଟନ୍ ଚାଉଳ ଉଠୁଥିବାବେଳେ ବର୍ତ୍ତମାନ ତାହାକୁ ମାତ୍ର ୪ ଲକ୍ଷ ମେଟ୍ରିକ୍ ଟନ୍‌କୁ ହ୍ରାସ କରାଯାଇଛି। ଏହା ଦ୍ବାରା ରାଜ୍ୟର ବହୁ ଚାଷୀ ସେମାନଙ୍କ ଫସଲ ବିକ୍ରି କରିପାରିବେ ନାହିଁ। କେନ୍ଦ୍ର ସରକାର ତାଙ୍କ ନିଷ୍ପତ୍ତି ପରିବର୍ତ୍ତନ କରି ଓଡ଼ିଶାର କୃଷକମାନଙ୍କ ସମସ୍ତ ଖାଦ୍ୟଶସ୍ୟ ଉଠାଇବାକୁ ପଦକ୍ଷେପ ନେବା ପାଇଁ ଦାବି ହୋଇଥିଲା।