କାହିଁକି ବଦଳି ନିର୍ଦେଶ ମାନୁନାହାଁନ୍ତି ଓଏଏସ ଅଧିକାରୀ ?

ଭୁବନେଶ୍ବର:କାହିଁକି ବଦଳି ନିର୍ଦେଶ ମାନୁନାହାଁନ୍ତି ଓଏଏସ ଅଧିକାରୀ ?  ଏହାକୁ ନେଇ  ସବୁଠି ଚର୍ଚା । ଏ ବାବୁମାନେ ଭଲ ସ୍ଥାନରୁ ହଟିବାକୁ ଚାହୁଁନଥିବାରୁ ଏବେ ସରକାର ବଡ଼ ପଦକ୍ଷେପ ନେବାକୁ ଯାଉଛନ୍ତି । ଯଦି ସେମାନେ ଚାକିରିରେ ଯୋଗ ନଦିଅନ୍ତି ତେବେ ଦରମା ମିଳିବ ନାହିଁ ବୋଲି ସିଧା ସିଧା କହିଛନ୍ତି ।

ସରକାର ଗତ ‌ଅଗଷ୍ଟ ୧୭ରେ ୨୯ଜଣ ଓଏଏସ୍‌ ଅଧିକାରୀ ଏବଂ ଅକ୍ଟୋବର ୧୭ତାରିଖରେ ୧୧୮ଜଣ ଓଏଏସ୍‌ ଅଧିକାରୀଙ୍କର ବଦଳି କରିଥିଲେ। ହେଲେ ଏଥିରୁ ଅଧିକାଂଶ ଓଏଏସ୍‌ ଅଧିକାରୀ ଏବେ ସୁଦ୍ଧା ନୂଆ ଦାୟିତ୍ବ ସମ୍ଭାଳୁନାହାନ୍ତି। କଣ ପାଇଁ ନୂଆ ଦାୟିତ୍ବ ନେଉନାହାଁନ୍ତି ତାହା ଏବେ ବଡ଼ ପ୍ରଶ୍ନ । କୁହାଯାଉଛି ଏହି ଅଧିକାରୀମାନେ ଭଲ ଦୁଇ ପଇସା ଉପରି ପାଉଛନ୍ତି ବୋଲି ପୂରୁଣା ସ୍ଥାନ ଛାଡୁନାହାଁନ୍ତି । ନୂଆ ସ୍ଥାନରେ ସେ ସବୁ ସୁବିଧା ମିଳିବ ନାହିଁ ।

ଏନେଇ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ବାରମ୍ବାର ତାଗିଦ୍ ସତ୍ତ୍ବେ ଅଧିକାରୀମାନେ ପୁରୁଣା ଅଫିସ୍‌ରୁ ହଟୁନାହାନ୍ତି। ଏପରିକି ଦରମା ବନ୍ଦ କରାଯିବ ବୋଲି ଧମକ ଦିଆଯିବା ସତ୍ତ୍ବେ ନ ଯିବାରୁ ରାଜ୍ୟ ସରକାର କଡ଼ା ଆଭିମୁଖ୍ୟ ଗ୍ରହଣ କରିଛନ୍ତି। ରାଜସ୍ବ ବିଭାଗ ପକ୍ଷରୁ ସମସ୍ତ ଜିଲ୍ଲାପାଳମାନଙ୍କୁ ଚିଠି ଲେଖି କୁହାଯାଇଛି ଯେ ଯେଉଁ ଅଧିକାରୀମାନେ ଡିସେମ୍ବର ୧୦ତାରିଖ ସୁଦ୍ଧା ବଦଳି ହୋଇଥିବା କାର୍ଯ୍ୟାଳୟରେ ଯୋଗ ନଦେବେ, ଡିସେମ୍ବର ୧୧ତାରିଖରୁ ତାଙ୍କୁ କାର୍ଯ୍ୟରୁ ନିଲମ୍ବନ କରାଗଲା ବୋଲି ଧରିନିଆଯିବ।

ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ଅତିରିକ୍ତ ସଚିବ ଅମୀୟ କୁମାର ସାହୁ ଶନିବାର ସମସ୍ତ ଜିଲ୍ଲାପାଳଙ୍କୁ ଚିଠି ଲେଖିଛନ୍ତି ଯେ ରାଜସ୍ବ ବିଭାଗ ପକ୍ଷରୁ ଅଗଷ୍ଟ ୧୭ ଓ ଅକ୍ଟୋବର ୧୭ରେ ଯେଉଁ ଓଏଏସ୍‌ ଅଧିକାରୀମାନଙ୍କର ବଦଳି ହୋଇଥିଲା ସେମାନଙ୍କୁ ନଭେମ୍ବର ୨୬ରେ ବିଭାଗ ପକ୍ଷରୁ ଏକସ‌ଙ୍ଗେ ରିଲିଭ୍ କରାଯାଇଥିଲା।

ଏହାସତ୍ତ୍ବେ କେତେକ ଅଧିକାରୀ ନୂଆ କାର୍ଯ୍ୟାଳୟରେ ଯୋଗନଦେବାରୁ ଯେଉଁ ଅଧିକାରୀମାନେ ଡିସେମ୍ବର ୩ତାରିଖ ସୁଦ୍ଧା ନୂଆ କାର୍ଯ୍ୟାଳୟରେ ଯୋଗଦେଇ ନଥିବେ ସେମାନଙ୍କ ଦରମା ବନ୍ଦ କରିବାକୁ କୁହାଯାଇଥିଲା। ତେଣୁ ଡିସେମ୍ବର ୧୦ତାରିଖ ସୁଦ୍ଧା ସେମାନେ ଯଦି ନୂଆ କାର୍ଯ୍ୟାଳୟରେ ଯୋଗ ନ ଦିଅନ୍ତି, ତେବେ ଡିସେମ୍ବର ୧୧ରୁ ତାଙ୍କୁ କାର୍ଯ୍ୟରୁ ନିଲମ୍ବନ କରାଗଲା ବୋଲି ବିଚାର କରାଯିବ। ଯେଉଁମାନେ ଏବେ ତାଲିମ ନେଉଛନ୍ତି ସେମାନଙ୍କୁ ତାଲିମ ଶେଷ ହେବା ପରେ ତୁରନ୍ତ କାର୍ଯ୍ୟରେ ଯୋଗଦେବାକୁ କୁହାଯାଇଛି।