କଂଗ୍ରେସକୁ କଡ଼ା ସମାଲୋଚନା କଲେ ପ୍ରଧାନମନ୍ତ୍ରୀ

ଚଣ୍ଡିଖୋଲ:କଂଗ୍ରେସକୁ କଡ଼ା ସମାଲୋଚନା କଲେ ପ୍ରଧାନମନ୍ତ୍ରୀ  । ପ୍ରଧାନମନ୍ତ୍ରୀ ମୋଦୀ କଂଗ୍ରେସକୁ ଟାର୍ଗେଟ କରିଛନ୍ତି। ସେ କହିଥିଲେ, ୨୦୧୪ ପୂର୍ବରୁ କଂଗ୍ରେସ କେବଳ ନିଜ ସିନ୍ଦୁକ ଭରୁଥିଲା। ନିଜ ଦଳ ଓ ନିଜ ପରିବାରର ସମୃଦ୍ଧି କରୁଥିଲା। ଆଜି ବିକାଶ ପାଇଁ ଯେଉଁ ବଡ଼ କାମ ହେଉଛି, ପୂର୍ବରୁ ମଧ୍ୟ ହୋଇପାରିଥାନ୍ତା। କିନ୍ତୁ ଏହା ପୂର୍ବରୁ କଂଗ୍ରେସ ଓ ଏହାର ସାଥୀଦଳଗୁଡ଼ିକ ଦେଶକୁ ଲୁଟିବାରେ ବ୍ୟସ୍ତ ଥିଲେ। କଂଗ୍ରେସ ସରକାର କୋଇଲା ଲୁଟିଥିଲେ। ଗରିବଙ୍କୁ ଖାଦ୍ୟ ଦେବା ପାଇଁ କେମିତି ଚିନ୍ତା କରିଥାନ୍ତେ? ବ୍ୟାଙ୍କରେ ଖାତା ଖୋଲିବା ପାଇଁ ଗ୍ୟାରେଣ୍ଟି ଆଣ, ଚାଷୀ ଋଣ ପାଇଁ ଗ୍ୟାରେଣ୍ଟି ଆଣ ବୋଲି କଂଗ୍ରେସ କହୁଥିଲା। କଂଗ୍ରେସ ସରକାରରେ ୟୁରିଆ ଦୁର୍ନୀତି ହୋଇଥିଲା। ସେହି ସରକାର ଚାଷୀଙ୍କ ଚିନ୍ତା କେମିତି କରିଥାନ୍ତା? ଚାଷୀଙ୍କୁ ଶସ୍ତାରେ ୟୁରିଆ ମିଳିପାରୁ ନଥିଲା। କଂଗ୍ରେସ ନିଜ ପରିବାର ପାଇଁ କାମ କରୁଥିଲା। ନିଜ ପୁଅ, ନାତି, ଅଣନାତି ପାଇଁ କାମ କରୁଥିଲା। କିନ୍ତୁ ମୋଦୀ ଦେଶ ପାଇଁ କାମ କରୁଛି।ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି, ବିଗତ ୧୦ ବର୍ଷ ହେଲା ବିଜେପି ସରକାର ଅଦ୍ଭୁତପୂର୍ଣ୍ଣ ନିବେଶ କରୁଛି। ଆମର ଉଦ୍ୟମ ହେଉଛି ଯେ, ଓଡ଼ିଶା ବିକଶିତ ଭାରତର ଦ୍ବାର ହେଉ। ଆତ୍ମନିର୍ଭର ଭାରତକୁ ଓଡ଼ିଶା ଶକ୍ତି ଯୋଗାଉଛି। ଗ୍ୟାସ, ସିଏନ୍‌ଜି ଆଧାରିତ ଯାତାୟତ, ଶିଳ୍ପ ଓଡ଼ିଶାରେ ପ୍ରତିଷ୍ଠା ହୋଇପାରିଛି। ଏଠାରୁ ଗ୍ୟାସ ପାଇପଲାଇନ୍‌ ମାଧ୍ୟମରେ ପୂର୍ବ ଭାରତକୁ ଯୋଡୁଛି। ଟେକ୍ସଟାଇଲ ପାର୍କ ପାଇଁ କଞ୍ଚାମାଲ ଏଠାରେ ଉତ୍ପାଦନ ହେଉଛି। ଅଧିକ ନିବେଶ ଅର୍ଥ ଚାକିରି ପାଇଁ ସର୍ବାଧିକ ଅବସର ହୋଇଛି। ବିକାଶ କାର୍ଯ୍ୟ ଯୁବକଯୁବତୀଙ୍କ ଭାଗ୍ୟ ବଦଳାଇବ।

ଏହି ସଂକଳ୍ପରୁ ଜଣାପଡୁଛି ଅବ୍‌କି ବାର୍‌ ୪୦୦ ପାର୍‌।’ ଯାଜପୁର ଜିଲ୍ଲା ଚଣ୍ଡିଖୋଲରେ ଭାରତୀୟ ଜନତା ପାର୍ଟି (ବିଜେପି) ପକ୍ଷରୁ ଆୟୋଜିତ ଜନସଭାକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହା କହିଛନ୍ତି। ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି, ଭାରତକୁ ବିଶ୍ବର ତୃତୀୟ ବୃହତ ଆର୍ଥିକ ସମୃଦ୍ଧଶାଳୀ ରାଷ୍ଟ୍ର କରିବାର ଅଛି। ୪୦୦ ପାର ସଂକଳ୍ପ ଦେଶରେ ଏକ ମଜବୁତ ସରକାର କରିବାର ଅଛି। ଏହି ସଂକଳ୍ପ, ଚାଷୀ, ଯବାନ, ମହିଳାଶକ୍ତି, ଗରିବଙ୍କ ଜୀବନ ବଦଳାଇବା ପାଇଁ। ଏଥିରେ ପୂର୍ବ ଭାରତର ଅର୍ଥାତ ଓଡ଼ିଶାର ବଡ଼ ଭୂମିକା ରହିବ।